--:--:--
-- ---
Srishti News

ରାଜସ୍ଥାନ ଶ୍ରୀଗଙ୍ଗାନଗରରେ ଅମାନୁଷିକତା: ୧୩ ବର୍ଷର ନାବାଳିକାକୁ ୫ ଦିନ କାଳ ଗଣଦୁଷ୍କର୍ମ, ୧୮ ଗିରଫ

ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧିJuly 10, 202651 views
ରାଜସ୍ଥାନ ଶ୍ରୀଗଙ୍ଗାନଗରରେ ଅମାନୁଷିକତା: ୧୩ ବର୍ଷର ନାବାଳିକାକୁ ୫ ଦିନ କାଳ ଗଣଦୁଷ୍କର୍ମ, ୧୮ ଗିରଫ
ଶ୍ରୀଗଙ୍ଗାନଗର :ରାଜସ୍ଥାନର ଶ୍ରୀଗଙ୍ଗାନଗର ଅଞ୍ଚଳରୁ ଏକ ଅତ୍ୟନ୍ତ ସ୍ପର୍ଶକାତର ଏବଂ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ୧୩ ବର୍ଷର ନାବାଳିକାକୁ ଅପହରଣ କରାଯାଇ ଦୀର୍ଘ ୫ ଦିନ ଧରି ବିଭିନ୍ନ ହୋଟେଲରେ ରଖି ଅମାନୁଷିକ ଭାବେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ନାରକୀୟ କାଣ୍ଡରେ ପ୍ରାୟ ୩୨ ଜଣ ସାମିଲ ଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ​ସୂଚନା ଅନୁଯାୟୀ, ଗତ ଜୁନ୍ ୧୮ ତାରିଖ ଦିନ ନାବାଳିକା ଜଣକ ନିଜ ସାଙ୍ଗ ଘରୁ ଫେରୁଥିବା ସମୟରେ ଘରକୁ ଛାଡ଼ିଦେବା ବାହାନାରେ ଏକ ଅଟୋରେ ବସିଥିଲେ। ମାତ୍ର ଅଟୋ ଚାଳକ ଜଣକ ନାବାଳିକାକୁ ତାଙ୍କ ଘରେ ନଛାଡ଼ି ସ୍ଥାନୀୟ ଏକ ହୋଟେଲକୁ ନେଇ ଦୁର୍ବୃତ୍ତମାନଙ୍କ କବଳରେ ଛାଡ଼ି ଦେଇଥିଲା। ଏହାପରେ ପ୍ରାୟ ୫ ଦିନ କାଳ ପୀଡ଼ିତାଙ୍କୁ ବିଭିନ୍ନ ହୋଟେଲରେ ବନ୍ଧକ ରଖି ୩୦ରୁ ଅଧିକ ଅଭିଯୁକ୍ତ ବଳାତ୍କାର କରିଥିଲେ। ​ଝିଅ ନିଖୋଜ ହେବା ନେଇ ପିତାମାତାଙ୍କ ଅଭିଯୋଗ ପରେ ପୋଲିସ ତତ୍ପରତା ପ୍ରକାଶ କରିଥିଲା। ପରେ ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଏକ ହୋଟେଲରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ପଠାଯାଇଛି। ମାମଲାର ଗମ୍ଭୀରତା କୁ ଦୃଷ୍ଟିରେ ରଖି ପୋଲିସ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଗଠନ କରିଛି। ଏପର୍ଯ୍ୟନ୍ତ ଏହି ମାମଲାରେ ହୋଟେଲ ମାଲିକ ଓ ମ୍ୟାନେଜରଙ୍କ ସମେତ ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇସାରିଛି। ଏଥିସହିତ ଅପରାଧ ଘଟିଥିବା ପ୍ରାୟ ୩ଟି ବେଆଇନ ହୋଟେଲ ଉପରେ ପ୍ରଶାସନ ପକ୍ଷରୁ ବୁଲଡୋଜର ଚଲାଯାଇ ସେଗୁଡ଼ିକୁ ଭାଙ୍ଗି ଦିଆଯାଇଛି। ​ଏହି ସଂଗୀନ ମାମଲାକୁ ନେଇ ଜାତୀୟ ମହିଳା କମିଶନ (NCW) ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କମିଶନଙ୍କ ପକ୍ଷରୁ ଶ୍ରୀଗଙ୍ଗାନଗର ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଆରକ୍ଷୀ ଅଧୀକ୍ଷକ (SP) ଙ୍କୁ ଆସନ୍ତା ୧୫ ଦିନ ମଧ୍ୟରେ ଏକ ବିସ୍ତୃତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ (Action Taken Report) ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଜିଲ୍ଲାରେ ଥିବା ସମସ୍ତ ବେଆଇନ ଓ ଅଣପଞ୍ଜୀକୃତ ହୋଟେଲଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି