ଜନ୍ମଦିନରେ ବ୍ରିଜ ମରାମତି: ପ୍ରତିବାଦ ନା ପ୍ରଚାର ? ବିଧାୟକଙ୍କ ପଦକ୍ଷେପକୁ ନେଇ ଉଠିଲା ପ୍ରଶ୍ନ
Sundargarh (ସୁନ୍ଦରଗଡ଼)ବ୍ୟୁରୋ ରିପୋର୍ଟ, ସ୍ରିଷ୍ଟି ନିୟୁଜ, ବୀରମିତ୍ରପୁରJuly 10, 2026102 views

ବୀରମିତ୍ରପୁର : ଜନ୍ମଦିନରେ କେକ୍ କାଟିବା ବଦଳରେ ଦଲକି ବ୍ରିଜରେ ଗିଟି ପକାଇ ମରାମତି କରି ଚର୍ଚ୍ଚାରେ ରହିଛନ୍ତି ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀ। ତେବେ ତାଙ୍କର ଏହି ପଦକ୍ଷେପକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଦଲକି ବ୍ରିଜ ଦୀର୍ଘ ଦିନ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦୃଶ୍ୟମାନ ପଦକ୍ଷେପ ନିଆଯାଇନଥିଲା। ଏଭଳି ସ୍ଥିତିରେ କେବଳ ଜନ୍ମଦିନ ଦିନ ବ୍ରିଜରେ ପହଞ୍ଚି ପ୍ରତୀକାତ୍ମକ ଭାବେ ଗିଟି ପକାଇବା ଦ୍ୱାରା ସମସ୍ୟାର ସମାଧାନ ହେବ କି ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି।
ସମାଲୋଚକମାନଙ୍କ ମତରେ, ଜଣେ ବିଧାୟକଙ୍କ ଦାୟିତ୍ୱ ହେଉଛି ସମ୍ପୃକ୍ତ ବିଭାଗ ଉପରେ ଚାପ ପକାଇ ସ୍ଥାୟୀ ମରାମତି କାର୍ଯ୍ୟ ସୁନିଶ୍ଚିତ କରିବା, ନା କି ପ୍ରତୀକାତ୍ମକ ଭାବେ ନିଜେ ମରାମତି କରିବା। ଏହା ପ୍ରକୃତ ସମାଧାନ ନା କେବଳ ରାଜନୈତିକ ବାର୍ତ୍ତା—ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ଅନ୍ୟପଟେ, ବିଧାୟକଙ୍କ ସମର୍ଥକମାନେ ଏହାକୁ ପ୍ରଶାସନର ଉଦାସୀନତା ବିରୋଧରେ ଏକ ପ୍ରତିବାଦ ବୋଲି କହୁଛନ୍ତି।
ବର୍ତ୍ତମାନ ସ୍ଥାନୀୟ ଲୋକଙ୍କ ମୁଖ୍ୟ ଦାବି ହେଉଛି, ଦଲକି ବ୍ରିଜର ତୁରନ୍ତ ସ୍ଥାୟୀ ମରାମତି କରାଯାଇ ଯାତାୟାତକୁ ସୁରକ୍ଷିତ କରାଯାଉ। ଏହି ପଦକ୍ଷେପ ପରେ ସମ୍ପୃକ୍ତ ବିଭାଗ କିପରି କାର୍ଯ୍ୟାନୁଷ୍ଠାନ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

