୮୧ ଗାଡ଼ିରୁ ୭.୮୦ ଲକ୍ଷ ଜରିମାନା, ୧୧ ଗାଡ଼ି ଜବତ ଫିଟ୍ନେସ୍ ନଥିବା ସ୍କୁଲ ବସ୍ ବି ଜବତ
Dhenkanal (ଢେଙ୍କାନାଳ)ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳJuly 9, 202636 views

ଢେଙ୍କାନାଳ, ୮ା୭: ଢେଙ୍କାନାଳ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯାନବାହନର କଡ଼ା ଯାଞ୍ଚ ଅଭିଯାନ ଜାରି ରହିଛି। ଗତ ୫ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ଯାଞ୍ଚରେ ବସ୍, ଟ୍ରକ୍ ସମେତ ବିଭିନ୍ନ ବାଣିଜ୍ୟିକ ଯାନବାହନର କାଗଜପତ୍ର ଓ ଫିଟ୍ନେସ୍ ଯାଞ୍ଚ କରାଯାଉଛି।
ଦୁଇ ଦିନରେ ମୋଟ ୮୧ଟି ଗାଡ଼ିରୁ ୭ ଲକ୍ଷ ୮୦ ହଜାର ୫୯୯ ଟଙ୍କା ଜରିମାନା ଆଦାୟ କରାଯାଇଥିବାବେଳେ ୧୧ଟି ଗାଡ଼ିକୁ ଜବତ କରାଯାଇଛି। ଜବତ ହୋଇଥିବା ଗାଡ଼ି ମଧ୍ୟରେ ଫିଟ୍ନେସ୍ ସାର୍ଟିଫିକେଟ୍ ନଥିବା ଏକ ସ୍କୁଲ ବସ୍ ମଧ୍ୟ ରହିଛି। ଉକ୍ତ ବସ୍ ଉପରେ ପ୍ରାୟ ୩୦ ହଜାର ଟଙ୍କା ଜରିମାନା ଲାଗୁ କରାଯିବା ସହ ଏହାକୁ ଜବତ କରାଯାଇଛି।
ଯାଞ୍ଚ ସମୟରେ ବିଶେଷକରି ପଲ୍ୟୁସନ୍ ସାର୍ଟିଫିକେଟ୍, ଫିଟ୍ନେସ୍ ଏବଂ ଅନ୍ୟାନ୍ୟ ଆବଶ୍ୟକ କାଗଜପତ୍ର ଉପରେ ଗୁରୁତ୍ୱ ଦିଆଯାଉଛି। ନିୟମ ଉଲ୍ଲଂଘନ କରୁଥିବା ଯାନବାହନ ବିରୋଧରେ ମୋଟରଯାନ ଆଇନ ଅନୁଯାୟୀ ଜରିମାନା ଆଦାୟ କରାଯାଉଛି।
ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସୁରକ୍ଷିତ ଯାତାୟାତ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଚାଲିଥିବାବେଳେ ଆଗାମୀ ଦିନରେ ମଧ୍ୟ ଏହା ନିୟମିତ ଭାବେ ଜାରି ରହିବ ବୋଲି ଢେଙ୍କାନାଳ ଜିଲ୍ଲା ପରିବହନ ଅଧିକାରୀ ଶୁଭାଶିଷ ସାହୁ ସୂଚନା ଦେଇଛନ୍ତି।
ଅପରପକ୍ଷେ ସରକାର ବିଭିନ୍ନ ଉପାୟରେ କେବଳ ଅର୍ଥ ଆଦାୟ କରୁଥିବା ବେଳେ ଲୋକଙ୍କ ପାଇଁ ଭଲ ରାସ୍ତା ଖଣ୍ଡେ କରିପାରୁ ନାହାନ୍ତି । ଲଗାଣ ବର୍ଷାରେ ଏନ୍ ଏଚ ୫୫ ରେ ଯେଉଁ ନଦୀର ଭ୍ରମ ସୃଷ୍ଟି ହେଲା ଆଉ ଅନ୍ୟାନ୍ୟ ସ୍ଥାନର ଅବସ୍ଥା ଯାହା ସେଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ସମାଧାନ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
