ମକୁନ୍ଦପୁର-ବରୁଣ୍ଡେଇ ରାସ୍ତାର ଦୟନୀୟ ଅବସ୍ଥା; ଗର୍ଭବତୀ ମହିଳା ଓ ରୋଗୀଙ୍କ ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା
Jajpur (ଯାଜପୁର)ରିପୋର୍ଟ : ବସନ୍ତ କୁମାର ମଲ୍ଲିକ, କୋରେଇJuly 6, 202687 views

ଯାଜପୁର-କୋରେଇ: ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ମକୁନ୍ଦପୁରରୁ ବରୁଣ୍ଡେଇ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ରାସ୍ତାରେ ଅସଂଖ୍ୟ ଖାଲଖମା ଓ ଭାଙ୍ଗିଯାଇଥିବା ସଡ଼କ ଯୋଗୁଁ ପ୍ରତିଦିନ ଯାତାୟାତ ବିପଦପୂର୍ଣ୍ଣ ହୋଇପଡ଼ିଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ସ୍ଥାନୀୟଙ୍କ କହିବା ଅନୁଯାୟୀ, ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଲୋକ, ଛାତ୍ରଛାତ୍ରୀ ଏବଂ ରୋଗୀ ଯାତାୟାତ କରୁଛନ୍ତି। ବରୁଣ୍ଡେଇସ୍ଥିତ ପ୍ରାଣକୃଷ୍ଟ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ବିପଦସଙ୍କୁଳ ପରିସ୍ଥିତିରେ ଏହି ରାସ୍ତା ବ୍ୟବହାର କରୁଛନ୍ତି।
ଏହି ରାସ୍ତା ବୈତରଣୀ ନଦୀ ପୋଲ ମାଧ୍ୟମରେ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାକୁ ସଂଯୋଗ କରୁଥିବାରୁ ଏହାର ଗୁରୁତ୍ୱ ଅଧିକ। କେନ୍ଦୁଝର ଓ ଭଦ୍ରକରୁ କୋରେଇ, ବରୁଣ୍ଡେଇ ଓ ପାଣିକୋଇଲି ଦେଇ କଟକ ଏବଂ ଭୁବନେଶ୍ୱରକୁ ଯାତାୟାତ କରୁଥିବା ବସ୍ ଓ ଅନ୍ୟାନ୍ୟ ଗାଡ଼ି ଏହି ରାସ୍ତା ଉପରେ ନିର୍ଭରଶୀଳ।
ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ, କୋରେଇ ଅଞ୍ଚଳର ସାତରୁ ଆଠଟି ପଞ୍ଚାୟତର ଲୋକ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ରାସ୍ତାର ଖରାପ ଅବସ୍ଥା ଯୋଗୁଁ ଆମ୍ବୁଲାନ୍ସ ସେବା ବାଧାପ୍ରାପ୍ତ ହେଉଥିବାରୁ ବିଶେଷକରି ଗର୍ଭବତୀ ମହିଳା ଓ ଗୁରୁତର ରୋଗୀଙ୍କୁ ନେଇ ଚିନ୍ତା ବଢ଼ିଛି।
ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ଯେ, ରାସ୍ତାର ମରାମତି ପାଇଁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ ପଦକ୍ଷେପ ନିଆଯାଇନାହିଁ। ଫଳରେ ପ୍ରତିଦିନ ଦୁର୍ଘଟଣାର ଆଶଙ୍କା ମଧ୍ୟରେ ଲୋକେ ଯାତାୟାତ କରୁଛନ୍ତି।
ଅଞ୍ଚଳବାସୀ ତୁରନ୍ତ ରାସ୍ତାର ମରାମତି ଓ ସ୍ଥାୟୀ ପୁନର୍ନିର୍ମାଣ ପାଇଁ ପ୍ରଶାସନ ଓ ସରକାରଙ୍କ ହସ୍ତକ୍ଷେପ ଦାବି କରିଛନ୍ତି।
