--:--:--
-- ---
Srishti News

ଦାବି ପୂରଣ ନହେଲେ ଚିନିଶିଳ୍ପ ମୁଖ୍ୟ ଫାଟକ ଆଗରେ ହେବ ଆମରଣ ଅନଶନ: ପ୍ରଶାସନକୁ କର୍ମଚାରୀ ସଂଘର ୭ ଦିନର ଅଲ୍ଟିମେଟମ୍

Ganjam (ଗଞ୍ଜାମ)​ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧିJuly 5, 2026100 views
ଦାବି ପୂରଣ ନହେଲେ ଚିନିଶିଳ୍ପ ମୁଖ୍ୟ ଫାଟକ ଆଗରେ ହେବ ଆମରଣ ଅନଶନ: ପ୍ରଶାସନକୁ କର୍ମଚାରୀ ସଂଘର ୭ ଦିନର ଅଲ୍ଟିମେଟମ୍
ଆସିକା/ଗଞ୍ଜାମ: ଆସିକା ସମବାୟ ଚିନିଶିଳ୍ପର ଅସ୍ଥାୟୀ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଦାବିରେ ଏବେ ଆନ୍ଦୋଳନ ତେଜିବାରେ ଲାଗିଛି। ବାରମ୍ବାର ପ୍ରତିଶ୍ରୁତି ସତ୍ତ୍ୱେ କର୍ତ୍ତୃପକ୍ଷ ଓ ପ୍ରଶାସନ କୌଣସି ସକାରାତ୍ମକ ନିଷ୍ପତ୍ତି ନେଉ ନଥିବାରୁ, ଆସନ୍ତା ୭ ଦିନ ମଧ୍ୟରେ ଦାବି ପୂରଣ ନହେଲେ ଚିନିଶିଳ୍ପର ମୁଖ୍ୟ ଫାଟକ ସମ୍ମୁଖରେ ଆମରଣ ଅନଶନ କରାଯିବ ବୋଲି କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଲିଖିତ ଚେତାବନୀ ଦିଆଯାଇଛି। ​ସୂଚନା ଅନୁଯାୟୀ, ଚିନିଶିଳ୍ପରେ ଦୀର୍ଘ ଦିନ ଧରି କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା ପାଇଁ ସଂଘ ପକ୍ଷରୁ ପରିଚାଳନା ପରିଷଦ ଓ ନିର୍ଦ୍ଦେଶକଙ୍କୁ ବାରମ୍ବାର ଅବଗତ କରାଯାଇଥିଲା। ଏହାପରେ ଗତ ୨୭ ନଭେମ୍ବର ୨୦୨୫ରେ ଚିନିଶିଳ୍ପର ନିର୍ଦ୍ଦେଶକ, କର୍ମଚାରୀ ସଂଘ ଏବଂ ଶ୍ରମ ଅଧିକାରୀଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି (Form-K) ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି ଅନୁସାରେ ଫେବୃଆରୀ ୨୦୨୬ ସୁଦ୍ଧା ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରାଯିବ ବୋଲି ପରିଚାଳନା ନିର୍ଦ୍ଦେଶକ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ସମୟ ସୀମା ବିତିଯାଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇନଥିଲା। ​ଚୁକ୍ତିଭଙ୍ଗ ପରେ ଗତ ୨୩ ମାର୍ଚ୍ଚ ୨୦୨୬ରେ କର୍ମଚାରୀମାନେ ମୁଖ୍ୟ ଫାଟକ ଆଗରେ ଧାରଣା ଦେଇଥିଲେ। ସେହି ସମୟରେ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ, ପରିଷଦର ସଦସ୍ୟ ଏବଂ ଆସିକା ଥାନା ଅଧିକାରୀଙ୍କ ଉପସ୍ଥିତିରେ '୧୫ ଏପ୍ରିଲ ୨୦୨୬' ସୁଦ୍ଧା ଦାବି ପୂରଣ କରାଯିବ ବୋଲି ପୁନର୍ବାର ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଧାରଣା ସ୍ଥଗିତ ରହିଥିଲା। ମାତ୍ର ଏହି ପ୍ରତିଶ୍ରୁତି ମଧ୍ୟ ପାଣିର ଗାର ପାଲଟିଥିଲା। ​ପ୍ରଶାସନର ଏଭଳି ଅବହେଳା ବିରୋଧରେ ଗତ ୧୧ ଜୁନ୍ ୨୦୨୬ରେ କର୍ମଚାରୀ ସଂଘ ଗଞ୍ଜାମ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲେ। ଜିଲ୍ଲାପାଳ ୩ ଦିନ ମଧ୍ୟରେ ଚିନିଶିଳ୍ପ ଗସ୍ତ କରି ନିଷ୍ପତ୍ତି ନେବେ ବୋଲି କହିଥିଲେ ଏବଂ ସେହି ଅନୁଯାୟୀ ଗତ ୨୬ ଜୁନ୍ ୨୦୨୬ରେ ସେ ଚିନିଶିଳ୍ପକୁ ଆସିଥିଲେ। କିନ୍ତୁ ଅତ୍ୟନ୍ତ ଦୁଃଖର ବିଷୟ ଯେ, ଜିଲ୍ଲାପାଳଙ୍କ ଗସ୍ତ ସତ୍ତ୍ୱେ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଦାବି ଉପରେ କୌଣସି ନିଷ୍ପତ୍ତି ନିଆଗଲା ନାହିଁ। ​ପ୍ରଶାସନିକ ସ୍ତରରେ ବାରମ୍ବାର ମିଳୁଥିବା ପ୍ରତାରଣାରେ ଅତିଷ୍ଠ ହୋଇ କର୍ମଚାରୀ ସଂଘ ଏବେ ଆରପାର୍ ଲଢ଼େଇ ପାଇଁ ପ୍ରସ୍ତୁତ ହୋଇଛି। ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି ଯେ, ଆସନ୍ତା ୭ ଦିନ ମଧ୍ୟରେ ଯଦି ସ୍ଥାୟୀ ନିଯୁକ୍ତି ପ୍ରକ୍ରିୟା ଉପରେ କୌଣସି ଠିକ୍ ନିଷ୍ପତ୍ତି ନିଆନଯାଏ, ତେବେ ସମସ୍ତ ଅସ୍ଥାୟୀ କର୍ମଚାରୀ ଚିନିଶିଳ୍ପର ମୁଖ୍ୟ ଫାଟକ ସମ୍ମୁଖରେ ଆମରଣ ଅନଶନରେ ବସିବେ। ଏହି ଆନ୍ଦୋଳନ କୁ ଆହୁରି ତୀବ୍ରତର କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଥିବାର ସୂଚନା ମିଳିଛି।