ବିଦ୍ୟୁତ ବିଭାଗର ଅବହେଳାର ଶିକାର ନିରିହ ଷଣ୍ଢ, କରେଣ୍ଟ ଲାଗି ମୃତ୍ୟୁ ସନ୍ଦେହ, ତଦନ୍ତ ଦାବି
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJuly 4, 2026131 views

ଅନୁଗୋଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ କଲୋନୀର ପୁରୁଣା କୋ-ଅପରେଟିଭ ମାର୍କେଟ କମ୍ପ୍ଲେକ୍ସ ପରିସରରେ ଏକ ବୁଲା ଷଣ୍ଢର ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଘଟଣାସ୍ଥଳର ପରିସ୍ଥିତି ଦେଖି ବିଦ୍ୟୁତ ସ୍ପର୍ଶ ଯୋଗୁଁ ଷଣ୍ଢର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ଏନେଇ କୌଣସି ସରକାରୀ ପୁଷ୍ଟି ମିଳିନାହିଁ।
ସୂଚନା ଅନୁସାରେ, ମୃତ ଷଣ୍ଢଟିର ଦେହ ଏକ ବିଦ୍ୟୁତ ଜଙ୍କସନ ବକ୍ସ ଉପରେ ପଡ଼ିଥିବା ଦେଖାଯାଇଛି। ଏହାକୁ ଦେଖି ସ୍ଥାନୀୟ ଲୋକମାନେ କରେଣ୍ଟ ଲାଗି ମୃତ୍ୟୁ ଘଟିଥିବା ଆଶଙ୍କା ପ୍ରକାଶ କରୁଛନ୍ତି। ତେବେ ପ୍ରକୃତ କାରଣ କଣ, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଏହି ଘଟଣା ପରେ ନାଲକୋ ବିଦ୍ୟୁତ ବିଭାଗର କାର୍ଯ୍ୟପ୍ରଣାଳୀକୁ ନେଇ ପ୍ରଶ୍ନ ଉଠିଛି। ସ୍ଥାନୀୟଙ୍କ ଅଭିଯୋଗ, କେତେକ ସ୍ଥାନରେ ବିଦ୍ୟୁତ ଜଙ୍କସନ ବକ୍ସ ଓ ଅନ୍ୟାନ୍ୟ ବିଦ୍ୟୁତ ସରଞ୍ଜାମ ଅସୁରକ୍ଷିତ ଓ ଖୋଲା ଅବସ୍ଥାରେ ପଡ଼ିରହିଛି। ଏଭଳି ଅବହେଳା ଯୋଗୁଁ ଯଦି ଏହି ଘଟଣା ଘଟିଥାଏ, ତେବେ ଏହା ଗୁରୁତର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।
ଘଟଣାର ନିରପେକ୍ଷ ତଦନ୍ତ କରି ପ୍ରକୃତ କାରଣ ଜଣାପଡ଼ିବା ସହ ଦୋଷୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ସେହିପରି, ଭବିଷ୍ୟତରେ ଏପରି ଅଘଟଣ ରୋକିବା ପାଇଁ ଅସୁରକ୍ଷିତ ବିଦ୍ୟୁତ ସରଞ୍ଜାମର ତୁରନ୍ତ ମରାମତି ଓ ସୁରକ୍ଷା ବ୍ୟବସ୍ଥା କରିବାକୁ ମଧ୍ୟ ଦାବି ହୋଇଛି।
