ବର୍ତ୍ତମାନ ମୁଣ୍ଡବିନ୍ଧାର କାରଣ : ଭାଇରାଲ ଜ୍ୱର
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJuly 3, 202664 views

ଅନୁଗୋଳ: ଋତୁ ପରିବର୍ତ୍ତନ ସହ ତାଳଚେର ଅଞ୍ଚଳରେ ଭାଇରାଲ ଜ୍ୱରର ପ୍ରକୋପ ବଢ଼ୁଥିବା ଦେଖାଯାଉଛି। ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ଅନେକେ ଥଣ୍ଡା, କାଶ, ଜ୍ୱର ଓ ମୁଣ୍ଡବିନ୍ଧାରେ ପୀଡ଼ିତ ହେଉଛନ୍ତି। ଫଳରେ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ରୋଗୀଙ୍କ ଭିଡ଼ ବଢ଼ିଥିବା ବେଳେ ଔଷଧ ଦୋକାନରେ ମଧ୍ୟ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି। କେହି ଘରେ ଚିକିତ୍ସା ନେଉଥିବା ବେଳେ ଆଉ କେହି ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି।
ଡାକ୍ତରମାନଙ୍କ କହିବା ଅନୁଯାୟୀ, ବର୍ତ୍ତମାନର ଅଧିକାଂଶ ଜ୍ୱର ଭାଇରାଲ ସଂକ୍ରମଣ ଜନିତ। ଋତୁ ପରିବର୍ତ୍ତନ, ପ୍ରଦୂଷିତ ପରିବେଶ, ଅପରିଷ୍କାର ଡ୍ରେନ୍, ଅସ୍ୱଚ୍ଛ ପରିବେଶ ଓ ଜଳବାୟୁର ପରିବର୍ତ୍ତନ ଏହାର ଅନ୍ୟତମ କାରଣ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଉଛନ୍ତି।
ଶିଳ୍ପାଞ୍ଚଳ ଭାବେ ପରିଚିତ ତାଳଚେରରେ କୋଇଲା ଖଣି ଓ ବିଭିନ୍ନ କଳକାରଖାନା ଯୋଗୁଁ ପରିବେଶ ପ୍ରଦୂଷଣ ବଢ଼ୁଥିବା ଅଭିଯୋଗ ଦୀର୍ଘଦିନର। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବିଶୁଦ୍ଧ ପାନୀୟ ଜଳ, ସ୍ୱଚ୍ଛ ପରିବେଶ ଓ ଉନ୍ନତ ସ୍ୱାସ୍ଥ୍ୟସେବା ପରି ମୌଳିକ ସୁବିଧାକୁ ପ୍ରାଥମିକତା ଦିଆଯିବା ଆବଶ୍ୟକ। ନଚେତ ଏଭଳି ରୋଗର ପ୍ରକୋପ ଆଗାମୀ ଦିନରେ ଆହୁରି ବଢ଼ିପାରେ।
ଅନ୍ୟପକ୍ଷରେ, ତାଳଚେରରେ ପ୍ରାୟ ପାଞ୍ଚ ବର୍ଷ ପୂର୍ବରୁ ନିର୍ମିତ ମେଡିକାଲ କଲେଜ ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଏହାକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ଦାବିରେ ବିଭିନ୍ନ ସଂଗଠନ ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜି ତାଳଚେର ବନ୍ଦ ଡାକରା ମଧ୍ୟ ଦିଆଯାଇଛି।
ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କ ମତରେ, ତାଳଚେରର ମାଟି, ପାଣି ଓ ପବନକୁ ସୁରକ୍ଷିତ ରଖିବା ସହ ଜନସ୍ୱାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ୱ ଦିଆନଗଲେ ଆଗାମୀ ଦିନରେ ସ୍ୱାସ୍ଥ୍ୟ ସମସ୍ୟା ଆହୁରି ଜଟିଳ ରୂପ ନେଇପାରେ।
