--:--:--
-- ---
Srishti News

ନିଷ୍ଠୁର ନିୟତିର ନିର୍ମମ ଆଘାତ: ନସିଂ ଛାତ୍ରୀ ମାତେଶ୍ରୀଙ୍କ ଅକାଳ ବିୟୋଗରେ ସ୍ତବ୍ଧ ତରାପୁର

Nayagarh (ନୟାଗଡ଼)ରିପୋର୍ଟ: କଶ୍ୟପ ଜଗତJuly 3, 202657 views
ନିଷ୍ଠୁର ନିୟତିର ନିର୍ମମ ଆଘାତ: ନସିଂ ଛାତ୍ରୀ ମାତେଶ୍ରୀଙ୍କ ଅକାଳ ବିୟୋଗରେ ସ୍ତବ୍ଧ ତରାପୁର
ବୋଡେ଼ନ, ୦୧ ଜୁଲାଇ ଜୀବନରେ ଅନେକ ସ୍ୱପ୍ନ ନେଇ ଆଗକୁ ବଢ଼ୁଥିବା ଜଣେ ମେଧାବୀ ନସିଂ ଛାତ୍ରୀଙ୍କ ଅକାଳ ପରଲୋକ ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ତରାପୁର ଗ୍ରାମର ଆକବର ସଗରିଆଙ୍କ ଝିଅ ତଥା ଖରିଆର ରୋଡ଼ସ୍ଥିତ ଶ୍ରୀଜଗନ୍ନାଥ ନସିଂ କଲେଜର ବିଏସ୍‌ସି ନସିଂ ଶେଷ ବର୍ଷର ଛାତ୍ରୀ ମାତେଶ୍ରୀ ସଗରିଆଙ୍କ ହଠାତ୍ ପରଲୋକ ଘଟିଛି। ତାଙ୍କ ବିୟୋଗରେ କେବଳ ପରିବାର ନୁହେଁ, ସହପାଠୀ, ଶିକ୍ଷକ ଓ ସମଗ୍ର ଅଞ୍ଚଳ ଗଭୀର ଶୋକରେ ମୁହିଁଯାଇଛି । ପରିବାର ସୂତ୍ରରୁ ପ୍ରକାଶ ଯେ, ମଙ୍ଗଳବାର ରାତି ପ୍ରାୟ ୧୦ଟା ସମୟରେ ମାତେଶ୍ରୀଙ୍କ ହଠାତ୍ ରକ୍ତଚାପ କମିଯାଇଥିଲା ଏବଂ ସେ ବାନ୍ତି କରିଥିଲେ । କିଛି ସମୟ ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ହୋଇପଡ଼ିବାରୁ ପରିବାର ଲୋକେ ତୁରନ୍ତ ତାଙ୍କୁ ଖଡ଼ିଆଳ ହସ୍ପିଟାଲକୁ ନେଇଥିଲେ। ମାତ୍ର ଡାକ୍ତରଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଥିଲା ଏବଂ ପରୀକ୍ଷା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଏହି ଅପ୍ରତ୍ୟାଶିତ ଘଟଣା ସମସ୍ତଙ୍କୁ ମର୍ମାହତ କରିଦେଇଛି । ମାତେଶ୍ରୀ ଜଣେ ମେଧାବୀ, ଶୃଙ୍ଖଳିତ, ବିନମ୍ର ଓ ମିଷ୍ଟଭାଷୀ ଛାତ୍ରୀ ଭାବେ ସମସ୍ତଙ୍କ ପ୍ରିୟ ଥିଲେ । ନସିଂ ଶିକ୍ଷା ସମାପ୍ତ କରି ଅସହାୟ ଓ ରୋଗୀଙ୍କ ସେବା କରିବା ସହ ସମାଜ ପାଇଁ କିଛି କରିବାର ଅଦମ୍ୟ ସ୍ୱପ୍ନ ସେ ହୃଦୟରେ ସାଇତି ରଖିଥିଲେ। କିନ୍ତୁ ନିୟତିର ନିଷ୍ଠୁର ଆଘାତରେ ସେହି ସବୁ ସ୍ୱପ୍ନ ଆଜି ଅଧାରେ ଅଟକି ରହିଗଲା । ଜୀବନର ଆରମ୍ଭରୁ ହିଁ ଏପରି ଅକାଳ ବିଦାୟ ଅନେକ ପ୍ରଶ୍ନ ଛାଡ଼ି ଯାଇଛି । ବିୟୋଗ ଖବର ପ୍ରଚାରିତ ହେବା ପରେ ତରାପୁର ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଘର ଆଗରେ ଲୋକଙ୍କ ଭିଡ଼ ଜମିଥିବା ବେଳେ ପରିବାର ସଦସ୍ୟଙ୍କ କାନ୍ଦବୋବାଳିରେ ସମଗ୍ର ପରିବେଶ ଭାରାକ୍ରାନ୍ତ ହୋଇପଡ଼ିଥିଲା। ସହପାଠୀ, ଶିକ୍ଷକ, ବନ୍ଧୁବାନ୍ଧବ ଓ ଅଞ୍ଚଳବାସୀ ଅଶ୍ରୁଳ ନୟନରେ ତାଙ୍କୁ ଶେଷ ବିଦାୟ ଜଣାଇଥିଲେ । ଯେଉଁ ହାତ ଆଗାମୀ ଦିନରେ ରୋଗୀଙ୍କ ସେବା ପାଇଁ ପ୍ରସ୍ତୁତ ହେଉଥିଲା, ସେହି ହାତ ଆଜି ସବୁଦିନ ପାଇଁ ନିରବ ହୋଇଯାଇଛି । ଯେଉଁ ଆଖିରେ ସୁନ୍ଦର ଭବିଷ୍ୟତର ସ୍ୱପ୍ନ ଥିଲା, ସେହି ଆଖି ଆଜି ସବୁଦିନ ପାଇଁ ବନ୍ଦ ହୋଇଯାଇଛି। ଜଣେ ଉଦୀୟମାନ ନସିଂ ଛାତ୍ରୀଙ୍କ ଏଭଳି ଅକାଳ ବିୟୋଗ କେବଳ ତାଙ୍କ ପରିବାର ପାଇଁ ନୁହେଁ, ସମଗ୍ର ଅଞ୍ଚଳ ପାଇଁ ମଧ୍ୟ ଏକ ଅପୂରଣୀୟ କ୍ଷତି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି ।