ତାଳଚେରରେ MCL ଜମି ଦଖଲ ଅଭିଯୋଗ: ଉପଜିଲ୍ଲାପାଳଙ୍କୁ ବିଏମ୍ଏସ୍ର ଦାବିପତ୍ର, ୭ ଦିନରେ କାର୍ଯ୍ୟାନୁଷ୍ଠାନ ଦାବି
Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନାJuly 3, 202637 views

ତାଳଚେର: ତାଳଚେର କୋଇଲାଖଣି ଯୋଗୁଁ ବିସ୍ଥାପିତ ପରିବାରମାନଙ୍କୁ MCL ପକ୍ଷରୁ ସଠିକ୍ ଭାବେ ଥଇଥାନର ବ୍ୟବସ୍ଥା କରାଯାଇନଥିବା ବେଳେ, MCL ଭରତପୁର କ୍ଷେତ୍ର ଦ୍ୱାରା ଅଧିଗ୍ରହଣ ହୋଇଥିବା ୧୦ ଏକରରୁ ଅଧିକ ଜମିକୁ ବେଆଇନ ଭାବେ ଜବରଦଖଲ କରାଯାଇଥିବା ଅଭିଯୋଗ ଉଠାଇଛି ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ (ବିଏମ୍ଏସ୍)।
ବିଏମ୍ଏସ୍ ସଭାପତି ତଥା ଭାରତୀୟ ଜନତା ପାର୍ଟି ଅନୁଗୋଳ ଜିଲ୍ଲା ଉପସଭାପତି ଇଂ. ମନୋଜ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ସ୍ଥାନୀୟ ଲୋକ ତାଳଚେର ଉପଜିଲ୍ଲାପାଳଙ୍କୁ ଏକ ତିନି ଦଫା ଦାବିପତ୍ର ପ୍ରଦାନ କରିଛନ୍ତି।
ଦାବିପତ୍ରରେ ଅଭିଯୋଗ କରାଯାଇଛି ଯେ, ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ MCL ଅଧିଗ୍ରହଣ କରିଥିବା ଜମିରେ 'ମାଳରଗୁଡ଼ି ଆଶ୍ରମ' ନାମରେ ବ୍ୟକ୍ତିଗତ ଦଳୀୟ କାର୍ଯ୍ୟାଳୟ ପରିଚାଳନା କରୁଛନ୍ତି। ସେହିପରି ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଗ୍ରାମପଞ୍ଚାୟତଗୁଡ଼ିକର ଉନ୍ନୟନ ପାଇଁ ଆସିଥିବା କୋଟି କୋଟି ଟଙ୍କାକୁ ବେଆଇନ ଭାବେ ଉକ୍ତ କାର୍ଯ୍ୟାଳୟ ନିର୍ମାଣରେ ବ୍ୟବହାର କରାଯାଇଥିବା ମଧ୍ୟ ଅଭିଯୋଗରେ ଉଲ୍ଲେଖ ରହିଛି।
ଏହି ସମସ୍ତ ଅଭିଯୋଗର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆଗାମୀ ୭ ଦିନ ମଧ୍ୟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବିଏମ୍ଏସ୍ ପକ୍ଷରୁ ଦାବି କରାଯାଇଛି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।
