ସୁବର୍ଣ୍ଣରେଖା ତଟରୁ ଖସୁଛି ଅତଡ଼ା, ଲୋକେ ଛାନିଆ
Balasore (ବାଲେଶ୍ୱର)ରିପୋର୍ଟ: ପ୍ରଭାତ କୁମାର ବାରିକ, ବାଲେଶ୍ଵରJuly 2, 202642 views

ବାଲେଶ୍ୱର : ବର୍ଷା ଦିନ ଆସି ଯାଇଥିବାରୁ ସୁବର୍ଣ୍ଣରେଖା ନଦୀ ତଟରୁ ଅତଡ଼ା ଖସିବା କ୍ରମଶଃ ବୃଦ୍ଧି ପାଉଥିବାରୁ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ସ୍ଥିତି ଏପରି ହୋଇଛି ଯେ ଜଳେଶ୍ୱର ବ୍ଲକର ଶାସନବାଡ଼ ପଞ୍ଚାୟତର ଗୋବର୍ଦ୍ଧନପୁର, ବାଣିଦା, ଦହୁଣ୍ଡା, ଜଗନ୍ନାଥପୁର ପଞ୍ଚାୟତର ନାଳବାର ଏବଂ ବାଲିଆପାଳ ବ୍ଲକର ବିସ୍ତୀର୍ଣ୍ଣ ଅଞ୍ଚଳରେ ଏହି ସମସ୍ୟା ଦେଖାଦେଇଛି। ଏହି ଅଞ୍ଚଳରେ ପ୍ରତିବର୍ଷ ବନ୍ୟା ସମୟରେ ଅତଡ଼ା ଖସିବା ସହ ଲୋକଙ୍କ ଘରଦ୍ୱାର ଏବଂ ଚାଷଜମି ନଦୀଗର୍ଭକୁ ଚାଲିଯାଉଛି। ଫଳରେ ଲୋକମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ରିପୋର୍ଟ ଅନୁସାରେ ସୁବର୍ଣ୍ଣରେଖା ନଦୀ ଗର୍ଭକୁ ଚାଷଜମି ଏବଂ ବସତି ଚାଲିଯାଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।
ଅନୁରୂପ ଭାବେ ବାଲିଆପାଳ ଅଞ୍ଚଳରେ ମଧ୍ୟ ବନ୍ୟା ଆସିଲେ ଏଭଳି ସ୍ଥିତି ଉପୁଜିଥାଏ। ଉକ୍ତ ସମସ୍ୟା ଦୂର କରିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ କୌଣସି ଦୃଢ଼ ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି। ପ୍ରକାଶଥାଉ କି, ସୁବର୍ଣ୍ଣରେଖା ପ୍ରକଳ୍ପ ଜରିଆରେ ପଥର ପ୍ୟାକିଂ କରି କିଛି ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହା ଅଧିକାଂଶ ସ୍ଥାନରେ ନଷ୍ଟ ହୋଇଯାଇଛି। ଏପରିକି ନଦୀ ଗର୍ଭରୁ ବାଲି ଉତ୍ତୋଳନ ଯୋଗୁଁ ନଦୀ ପଠା ଦୁର୍ବଳ ହେବାରେ ଲାଗିଛି।
ଅପରପକ୍ଷରେ ସ୍ଥାନୀୟ ବାସିନ୍ଦା ଏବଂ ଜନପ୍ରତିନିଧିମାନେ ବାରମ୍ବାର ଏହି ବିଷୟରେ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ପ୍ରଶାସନ ତରଫରୁ କେବଳ ପ୍ରତିଶ୍ରୁତି ମିଳୁଛି, ମାତ୍ର କାର୍ଯ୍ୟକ୍ଷେତ୍ରରେ କୌଣସି ସ୍ଥାୟୀ ପ୍ରତିକାର ଦେଖିବାକୁ ମିଳୁନାହିଁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ଏବଂ ଆଗାମୀ ଦିନରେ ବଡ଼ ଧରଣର ବିପର୍ଯ୍ୟୟ ଘଟିବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ବନ୍ୟା ଏବଂ ନଦୀକୂଳ ଲୋକଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଜଳସମ୍ପଦ ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।
