--:--:--
-- ---
Srishti News

କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ଦୁଇ ଗିରଫ

Cuttack (କଟକ)ରିପୋର୍ଟ:ସୁରେନ୍ଦ୍ର ଜେନା, ଜଗତପୁରJuly 2, 202655 views
କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ଦୁଇ ଗିରଫ
କଟକ-ଜଗତପୁର: କଟକ ଚାନ୍ଦବାଲି ରାସ୍ତା ଜଗତପୁର ଗୋଲେଇ ଛକ ଠାରେ ଯାନବାହନ ଭିଡ ନିୟନ୍ତ୍ରଣ କରୁଥିବା ଜଣେ କର୍ତ୍ତବ୍ୟରତ ଗୃହରକ୍ଷୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଛି | ଗିରଫ ଅଭିଯୁକ୍ତ ହେଲେ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ସିହୋପଡା ଗ୍ରାମର ଆଲୋକ ବେହୁରିଆ ଓରଫ ବାବା(୨୯) ଓ ତାଙ୍କ ସାନ ଭାଇ ଦୀପକ କୁମାର ବେହୁରିଆ ଓରଫ ବଳିଆ(୨୬)| ପୁଲିସ ସୂଚନା ମୁତାବକ ଜଗତପୁର ଥାନା ଅନ୍ତର୍ଗତ ପଶ୍ଚିମକଛ ଡିହସାହିର ଦୁର୍ଗାମାଧବ ପଦାରବିନ୍ଦ ସ୍ୱାଇଁ ଜଗତପୁର ଥାନାରେ ଗୃହରକ୍ଷୀ ନଂ ୩୫ ଭାବେ କାର୍ଯ୍ୟ ରତ | ବୁଧବାର ଅପରାହ୍ନ ୨ ଘଟିକା ଠାରୁ ସେ ଜଗତପୁର ଗୋଲେଇ ଛକ ଠାରେ ଯାନବାହନ ଭିଡ ନିୟନ୍ତ୍ରଣ କରୁଥିଲେ | ସଂଧ୍ୟା ସାଢେ ୫ ଘଟିକା ସମୟରେ ସଂପୃକ୍ତ ଦୁଇ ଭାଇ ଓଡି୩୩ଏୱାଇ ୫୯୭୨ ନମ୍ବର ଏକ କାରରେ ଆସି ଗୋଲେଇ ଛକ ନିକଟ ଫଳ ଦୋକାନ ସମ୍ମୁଖରେ ଗାଡି ପାର୍କିଂ କରିଥିଲେ | ରାସ୍ତା ଭିଡ ହେଉଥିବା କାରଣରୁ କାର୍ଯ୍ୟରତ ଗୃହରକ୍ଷୀ ଦୁର୍ଗାମାଧବ ଏଠାରେ ଗାଡି ପାର୍କିଂ ନକରିବା ପାଇଁ କହିଥିଲେ | ଏଥିରେ ଉତ୍ୟକ୍ତ ହୋଇ ଉଭୟ ଅଭିଯୁକ୍ତ ଦୁଇଭାଇ ତୁମେ କିଏ, ଆମେ ଏହିଠାରେ ଗାଡି ପାର୍କିଂ କରିବୁ ଓ କିଏ ତୁମ ଅଧିକାରୀ ବୋଲି ତାଙ୍କୁ ପ୍ରଶ୍ନ କରିବା ସହ ତାଙ୍କୁ ମାଡ ମାରିଥିଲେ | ଏଥିରେ ଦୁର୍ଗାମାଧବଙ୍କ ଦାନ୍ତ ଭାଙ୍ଗି ଗଳିପଡିଥିଲା | ଏନେଇ ଦୁର୍ଗାମାଧବ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଭାଇଙ୍କୁ ଗିରଫ କରିବା ସହ ଉକ୍ତ କାରକୁ ଜବତ କରିଥିଲା | ଆଜି ଅଭିଯୁକ୍ତ ବାବା ଓ ବଳିଆଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାସମଲ ସୂଚନା ଦେଇଛନ୍ତି |