ବାର୍ହା ଶିକାର ଲାଗି ଯାଇଥିବା ୬ ଆନ୍ଧ୍ର ଶିକାରୀ ଗିରଫ, ବିପୁଳ ବିସ୍ଫୋରକ ଓ ଗୁଳି ଜବତ
Ganjam (ଗଞ୍ଜାମ)ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ ଭଞ୍ଜନଗରJuly 1, 202622 views

ବ୍ରହ୍ମପୁର ପୋଲିସ ଜିଲ୍ଲା କେ. ନୂଆଗାଁ ଥାନା ଅନ୍ତର୍ଗତ କୋଟଲିଙ୍ଗି ଗ୍ରାମ ନିକଟସ୍ଥ ଜଙ୍ଗଲକୁ ବାର୍ହା ଶିକାର ପାଇଁ ଅନୁପ୍ରବେଶ କରିଥିବା ଆନ୍ଧ୍ରପ୍ରଦେଶର ୬ ଜଣ ଶିକାରୀକୁ ସ୍ଥାନୀୟ ଗ୍ରାମବାସୀ କାବୁ କରି ପୋଲିସରେ ଜିମା ଦେଇଛନ୍ତି । ଟିକିଟି ଫାଣ୍ଡି ଅଧିକାରୀ ଗୌତମ ସାହୁ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଗୁଳି ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି।ପୋଲିସ ସୂଚନା ଅନୁଯାୟୀ, ଶିକାରୀମାନଙ୍କ ନିକଟରୁ ୮୫ଟି ସାସା ଗୁଳି, ଗୋଟିଏ ପ୍ଲାଷ୍ଟିକ ଡବାରେ କଳା କୋଇଲା ଗୁଣ୍ଡ, ଅନ୍ୟ ଏକ ଡବାରେ ହଳଦିଆ ରଙ୍ଗର ଗନ୍ଧକ ଗୁଣ୍ଡ (ସଲଫର), ଗୋଟିଏ ହାତୁଡ଼ି, ପ୍ଲାୟର୍ସ, ଏକ ଲୁହା ଖଣ୍ଡା ଏବଂ ୫ଟି ମୋବାଇଲ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ସୋମଦୁଲା ସୁରେଶ (୧୯), କୁପିଲି ତରଣୀ (୨୦), ଏରା ବାଲାୟାରାଜୁ (୨୦), ବୋରା ରମଣା (୩୧), ଆଲାପାନା ଗୋବିନ୍ଦୁ (୨୫) ଏବଂ ଜଣେ ୧୭ ବର୍ଷୀୟ ନାବାଳକ। ଏ ନେଇ କେ. ନୂଆଗାଁ ଥାନାରେ କେସ ନଂ-୨୪୪/୨୦୨୬, ବିଏନଏସ (BNS) ର ଧାରା ୨୮୮/୩(୫), ବିସ୍ଫୋରକ ଆକ୍ଟର ଧାରା ୯(ବି), ବିସ୍ଫୋରକ ପଦାର୍ଥ ଆକ୍ଟର ଧାରା ୪ ଏବଂ ଅସ୍ତ୍ରଶସ୍ତ୍ର ଆଇନ (ଆର୍ମସ୍ ଆକ୍ଟ) ର ଧାରା ୨୫(୧)(ଏ) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତମାନଙ୍କୁ ପାତ୍ରପୁର ଜେଏମଏଫସି କୋର୍ଟ ଏବଂ ନାବାଳକକୁ ବ୍ରହ୍ମପୁର ଜେଜେବି କୋର୍ଟକୁ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ।
