ମଞ୍ଜୁରୀପ୍ରାପ୍ତ ପଦ ନଥିବା ଦର୍ଶାଇ ନିୟମିତ ନିଯୁକ୍ତିରୁ ବଞ୍ଚିତ କରିହେବ ନାହିଁ: ହାଇକୋର୍ଟ
Cuttack (କଟକ)ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧିJuly 1, 202699 views

କଟକ : କେବଳ ମଞ୍ଜୁରୀପ୍ରାପ୍ତ ପଦରେ ନିଯୁକ୍ତି ପାଇ ନ ଥିବା ଦର୍ଶାଇ ଦୀର୍ଘ ବର୍ଷ ଧରି ସେବା ଯୋଗାଇ ଆସୁଥିବା ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ ନିଯୁକ୍ତିର ସୁଯୋଗରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ଓଡିଶା ହାଇକୋର୍ଟ ରାୟ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଦାଖଲ ରିଟ୍ ଅପିଲକୁ ଖାରଜ କରି ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ଜଷ୍ଟିସ କୃଷ୍ଣ ଏସ. ଦାଶିତ ଏବଂ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଖଣ୍ଡପୀଠ ଅମିତା ମହାପାତ୍ରଙ୍କ ସମ୍ପର୍କିତ ମାମଲାର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି।
ଅମିତା ୨୦୦୬ ମସିହାରେ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ହସ୍ପିଟାଲରେ ଫାର୍ମାସିଷ୍ଟ ଫେଲୋ ଭାବେ ନିଯୁକ୍ତ ହୋଇଥିଲେ। ସେ ୧୪ ବର୍ଷରୁ ଅଧିକ ସମୟ ଧରି ସେବା ପ୍ରଦାନ କରିଥିଲେ ଏବଂ ତାଙ୍କ ନିୟମିତକରଣ ପାଇଁ ସକ୍ଷମ କର୍ତ୍ତୃପକ୍ଷ ଏକାଧିକ ଥର ସୁପାରିସ ମଧ୍ୟ କରିଥିଲେ। ତେବେ ୨୦୨୦ ମସିହାରେ ସେ ମଞ୍ଜୁରୀପ୍ରାପ୍ତ ପଦରେ କାର୍ଯ୍ୟରତ ନ ଥିବା ଦର୍ଶାଇ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିଲା। ଏହାକୁ ଚାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଣିକିଆ ବିଚାରପତି ତାଙ୍କ ସପକ୍ଷରେ ରାୟ ଦେଇ ବରଖାସ୍ତ ଆଦେଶ ପ୍ରତ୍ୟାହାର ଓ ନିୟମିତକରଣ ପ୍ରସଙ୍ଗର ପୁନଃବିଚାର ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ଡିଭିଜନ ବେଞ୍ଚରେ ଅପିଲ କରିଥିଲେ। ଫଳରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ଅପିଲକୁ ଖାରଜ କରିବା ସହ ଜଣିକିଆ ବିଚାରପତିଙ୍କ ରାୟକୁ ବଳବତ୍ତର ରଖିଛନ୍ତି। ଜଣିକିଆ ବିଚାରପତିଙ୍କ ଆଦେଶକୁ ତିନି ମାସରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
