ଧାନ ଉଠାଣକୁ ନେଇ ତାତିଲା ଖଡ଼ିଆଳ: ଚାଷୀଙ୍କ ରାଜପଥ ଅବରୋଧ, ମଧ୍ୟରାତ୍ରୀରେ ପୋଲିସର ଆକ୍ସନ୍
Nayagarh (ନୟାଗଡ଼)ରିପୋର୍ଟ: ଭଜନ ଲାଲ ଜଗତ ଓ କଶ୍ୟପ ଜଗତJune 30, 202643 views

ଖଡ଼ିଆଳ, ୩୦/୦୬
ଖରିଫ ପରେ ରବି ଧାନ ଉଠାଣରେ ବିଳମ୍ବକୁ ନେଇ ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବ୍ଲକରେ ଚାଷୀଙ୍କ ଅସନ୍ତୋଷ ଚରମସୀମାରେ ପହଞ୍ଚିଛି । ବିଭିନ୍ନ ମଣ୍ଡିରେ ଧାନ ବସ୍ତା ପଡ଼ି ରହିଥିବା ପ୍ରତିବାଦରେ ଚାଷୀମାନେ ଧାନ ବସ୍ତା ରଖି ୩୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ଦୀର୍ଘ ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହେବା ସହ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଥିଲା ।
ପ୍ରଶାସନ ପକ୍ଷରୁ ଚାଷୀଙ୍କ ସହ ଆଲୋଚନା କରାଯାଇ ମଣ୍ଡିରେ ଥିବା ଧାନର ୭୦ ପ୍ରତିଶତ ଉଠାଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ଚାଷୀମାନେ ସମ୍ପୂର୍ଣ୍ଣ ଧାନ ଉଠାଣ ପାଇଁ ଦାବିରେ ଅଡ଼ି ରହିଥିବାରୁ ଆଲୋଚନା ସଫଳ ହୋଇନଥିଲା ।
ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ବିଲମ୍ବିତ ରାତି ପ୍ରାୟ ୧ଟା ୩୦ ମିନିଟ୍ ସମୟରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଖଡ଼ିଆଳ ପୋଲିସ ହସ୍ତକ୍ଷେପ କରି ଅବରୋଧକାରୀ ଚାଷୀମାନଙ୍କୁ ହଟାଇ ଜାତୀୟ ରାଜପଥକୁ ମୁକ୍ତ କରିଥିଲା । ଏହାପରେ ଦୀର୍ଘ ସମୟ ଧରି ଅଟକି ରହିଥିବା ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା ।
ପ୍ରଶାସନ ପକ୍ଷରୁ ଖଡ଼ିଆଳ, ସାନମହେଶ୍ୱର, ଅରେଡା, ଭୋଜପୁର, ଡୁଆଝର, ବରଗାଁ, ଲାଞ୍ଜୀ ଓ ଖଦପେଜ ସମେତ ବିଭିନ୍ନ ମଣ୍ଡିରେ ଥିବା ରବି ଧାନର ୭୦ ପ୍ରତିଶତ ଉଠାଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଖଡ଼ିଆଳ ମଣ୍ଡିରେ ୨୩,୭୦୦ କ୍ୱିଣ୍ଟାଲ, ସାନମହେଶ୍ୱରରେ ୮,୩୭୦ କ୍ୱିଣ୍ଟାଲ, ଅରେଡାରେ ୧୧,୬୭୦ କ୍ୱିଣ୍ଟାଲ, ଭୋଜପୁରରେ ୯,୩୫୦ କ୍ୱିଣ୍ଟାଲ, ଡୁଆଝରରେ ୯,୦୦୦ କ୍ୱିଣ୍ଟାଲ, ବରଗାଁରେ ୧୦,୮୩୬ କ୍ୱିଣ୍ଟାଲ, ଲାଞ୍ଜୀରେ ୯,୨୧୨ କ୍ୱିଣ୍ଟାଲ ଓ ଖଦପେଜରେ ୮,୨୮୦ କ୍ୱିଣ୍ଟାଲ ଧାନ ଉଠାଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି ।
ଡିଆରସିଏସ୍ ଶିବପ୍ରସାଦ ସ୍ୱାଇଁ କହିଛନ୍ତି ଯେ, ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଧାନ ଉଠାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି ଏବଂ ପର୍ଯ୍ୟାୟକ୍ରମେ ମଣ୍ଡିରୁ ଧାନ ଉଠାଣ ସମ୍ପୂର୍ଣ୍ଣ କରାଯିବ ।
ଧାନ ଉଠାଣକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ଏହି ଅଚଳାବସ୍ଥା ଜିଲ୍ଲାର ଚାଷୀଙ୍କ ଦୁର୍ଦ୍ଦଶାକୁ ପୁଣିଥରେ ସାମ୍ନାକୁ ଆଣିଛି । ଚାଷୀମାନେ ଶୀଘ୍ର ସମ୍ପୂର୍ଣ୍ଣ ଧାନ ଉଠାଣ ସହ ଉପଯୁକ୍ତ ବ୍ୟବସ୍ଥା କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

