ଖରିଆର ରୋଡ୍ରେ ପୋଲିସର ବଡ଼ ସଫଳତା: ୨୧.୮୫୬ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
Nuapada (ନୂଆପଡ଼ା)ରିପୋର୍ଟ: ବିଜୟ ବରିହାJune 30, 202633 views

ନୂଆପଡ଼ା, ୩୦/୦୬
ନୂଆପଡ଼ା ଜିଲ୍ଲାରେ ବେଆଇନ ନିଶା କାରବାର ବିରୋଧରେ ପୋଲିସର କଡ଼ା ଅଭିଯାନ ଜାରି ରହିଛି। ଏହି କ୍ରମରେ ଜୋଙ୍କ୍ ଥାନା ପୋଲିସ ଏକ ବଡ଼ ସଫଳତା ହାସଲ କରି ବହୁ ପରିମାଣର ବେଆଇନ ଗଞ୍ଜେଇ ଜବତ କରିବା ସହ ଜଣେ ମାଦକ କାରବାରୀଙ୍କୁ ଗିରଫ କରିଛି।
ପୋଲିସ ସୂଚନା ଅନୁଯାୟୀ, ଗତ ୨୭ ଜୁନ ୨୦୨୬ ତାରିଖ ପ୍ରାୟ ଦିନ ୧ଟା ୧୦ ମିନିଟ୍ ସମୟରେ ଖରିଆର ରୋଡ୍ ସ୍ଥିତ ପଞ୍ଜାବୀପଡ଼ା ଛକ ନିକଟରେ ବେଆଇନ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଜୋଙ୍କ୍ ଥାନା ପୋଲିସ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲା। ସୂଚନାକୁ ଆଧାର କରି ପୋଲିସ ତୁରନ୍ତ ଘଟଣାସ୍ଥଳରେ ଚଢ଼ାଉ କରି ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ତଲାସି କରିଥିଲା।
ତଲାସି ବେଳେ ତାଙ୍କ ନିକଟରୁ ୨୧ କିଲୋ ୮୫୬ ଗ୍ରାମ ବେଆଇନ ଗଞ୍ଜେଇ ଜବତ କରାଯାଇଥିଲା। ଏହା ସହ ଏକ ମୋବାଇଲ୍ ଫୋନ୍ ଓ ୧୫୦ ଟଙ୍କା ନଗଦ ମଧ୍ୟ ଜବତ କରାଯାଇଛି। ପୋଲିସ ଅଭିଯୁକ୍ତଙ୍କୁ ଘଟଣାସ୍ଥଳରୁ ରଙ୍ଗେହାତ ଗିରଫ କରିଥିଲା।
ଗିରଫ ହୋଇଥିବା ଅଭିଯୁକ୍ତ ଠାକୁର ପ୍ରସାଦ ହରପାଲ (୩୬) ବୋଲି ଜଣାପଡ଼ିଛି। ସେ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ଭରୁଆପାଲି ଗ୍ରାମର ବାସିନ୍ଦା ବୋଲି ପୋଲିସ ସୂଚନା ଦେଇଛି।
ଏହି ଘଟଣାରେ ଜୋଙ୍କ୍ ଥାନାରେ ମାମଲା ନମ୍ବର-୨୩୧, ତାରିଖ ୨୭ ଜୁନ ୨୦୨୬ ରୁଜୁ କରାଯାଇଥିବା ବେଳେ ଏନ୍ଡିପିଏସ୍ ଆଇନର ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ମାମଲାର ତଦନ୍ତ ଜୋଙ୍କ୍ ଥାନାର ଉପ-ନିରୀକ୍ଷକ (ଏସ୍.ଆଇ.) ଜେ.ଆର୍. ସେନାପତି କରୁଛନ୍ତି।
ଜିଲ୍ଲାରେ ନିଶା କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ପୋଲିସର ସ୍ୱତନ୍ତ୍ର ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
