କେନ୍ଦୁଝରରେ ଜିଲ୍ଲାସ୍ତରୀୟ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ
Kendujhar (କେନ୍ଦୁଝର)ରିପୋର୍ଟ: ନିରଞ୍ଜନ, ପାଣି, ଜିଲ୍ଲା ପ୍ରତିନିଧି, କେନ୍ଦୁଝରJune 30, 202693 views

କେନ୍ଦୁଝର, ୨୯/୦୬: ଆଜି କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ କଲେକ୍ଟରେଟ୍ ସ୍ଥିତ ଦରବାର ହଲ୍ଠାରେ ଜିଲ୍ଲାସ୍ତରୀୟ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ ହୋଇଯାଇଛି। ପ୍ରତିବର୍ଷ ଜୁନ୍ ୨୯ ତାରିଖକୁ ‘ଜାତୀୟ ପରିସଂଖ୍ୟାନ ଦିବସ’ ଭାବେ ପାଳନ କରାଯାଏ। ଭାରତୀୟ ପରିସଂଖ୍ୟାନର ଜନକ ଭାବେ ଜଣାଶୁଣା ପ୍ରଫେସର ପ୍ରସାନ୍ତ ଚନ୍ଦ୍ର ମହଲାନୋବିସଙ୍କ ଜନ୍ମଜୟନ୍ତୀ ଅବସରରେ ଏହି ଦିବସ ପାଳିତ ହୋଇଥାଏ। ସାମାଜିକ ଓ ଅର୍ଥନୈତିକ ଯୋଜନା ପ୍ରଣୟନରେ ପରିସଂଖ୍ୟାନର ଗୁରୁତ୍ୱ ସମ୍ପର୍କରେ ସାଧାରଣ ଜନତା ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳ ଲକ୍ଷ୍ୟ। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ମନ୍ଦରଧର ମହାଳିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରିସଂଖ୍ୟାନର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ମହାଳିକ କହିଥିଲେ ଯେ, ରାଜ୍ୟ ତଥା ଜାତୀୟ ସ୍ତରରେ ଦେଶର ବିକାଶ କ୍ଷେତ୍ରରେ ପରିସଂଖ୍ୟାନ ଏକ ମୂଳଦୁଆ ସଦୃଶ। ସଠିକ୍ ତଥ୍ୟ ବ୍ୟତୀତ ଦେଶରେ କୌଣସି ପ୍ରକାରର ଲୋକହିତକର ଯୋଜନା ପ୍ରଣୟନ କରିବା କେବଳ କଷ୍ଟସାଧ୍ୟ ନୁହେଁ, ବରଂ ଅସମ୍ଭବ। ତେଣୁ ସଠିକ୍ ପରିସଂଖ୍ୟାନ ହିଁ ସର୍ବାଙ୍ଗୀନ ବିକାଶର ପଥ ପରିଷ୍କାର କରିଥାଏ ବୋଲି ସେ ମତପୋଷଣ କରିଥିଲେ।
କାର୍ଯ୍ୟକ୍ରମରେ ଅନ୍ୟତମ ବକ୍ତା ଭାବେ ଯୋଗଦେଇ ଡ. ଅଜିତ କୁମାର ବରାଳ ପରିସଂଖ୍ୟାନକୁ ଜୀବନ ଦର୍ଶନ ସହ ତୁଳନା କରିଥିଲେ। ସେ ସୂଚାଇଥିଲେ ଯେ, ଯେପରି ଲକ୍ଷ୍ୟହୀନ ଜୀବନର କୌଣସି ଅର୍ଥ ନାହିଁ, ସେହିପରି ସଠିକ୍ ପରିସଂଖ୍ୟାନ ବିନା ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକ ପ୍ରାୟତଃ ଲକ୍ଷ୍ୟଭ୍ରଷ୍ଟ ହୋଇଥାଏ। ତେଣୁ ପ୍ରତ୍ୟେକ କ୍ଷେତ୍ରରେ ନିର୍ଭୁଲ ତଥ୍ୟକୁ ଆଧାର କରି ନିଷ୍ପତ୍ତି ନେବା ଅତ୍ୟନ୍ତ ଜରୁରୀ ବୋଲି ସେ ଦର୍ଶାଇଥିଲେ।
ଏହି ଅବସରରେ ଉପନିର୍ଦ୍ଦେଶକ(ଯୋଜନା ଓ ପରିସଂଖ୍ୟାନ) ଶ୍ରୀ ଗଜେନ୍ଦ୍ର କୁମାର ବେହେରା ପରିସଂଖ୍ୟାନର ବ୍ୟାପକତା ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ସେ କହିଥିଲେ, "ସଠିକ୍ ପରିସଂଖ୍ୟାନ ସରକାରଙ୍କୁ ସମୟୋପଯୋଗୀ ଯୋଜନା ପ୍ରଣୟନ କରିବାରେ ସହାୟତା କରିଥାଏ, ଯାହା ଦେଶର ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିଥାଏ।" ରାଜ୍ୟ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ଦ୍ୱାରା କରାଯାଉଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଧାରା, ଯଥା—କୃଷି ଓ ଜଳସେଚନ ଗଣନା, ଶସ୍ୟକାଟ ପରୀକ୍ଷା, ମୂଲ୍ୟ ସୂଚକାଙ୍କ ନିର୍ଦ୍ଧାରଣ, ଶିଳ୍ପ ସର୍ଭେ, ଜିଲ୍ଲା ପରିସଂଖ୍ୟାନ ହାଣ୍ଡବୁକ୍ ପ୍ରସ୍ତୁତି ଓ ଜାତୀୟ ନମୁନା ସର୍ଭେ ଆଦି କିଭଳି ନୀତି ନିର୍ଦ୍ଧାରଣରେ ମୂଳଦୁଆ ସାଜିଛି, ସେ ସମ୍ପର୍କରେ ସେ ଗୁରୁତ୍ୱାରୋପ କରିଥିଲେ।
ଯୋଜନା ଓ ପରିସଂଖ୍ୟାନ କାର୍ଯ୍ୟାଳୟ ତରଫରୁ ଗତ ୨୪/୦୬/୨୦୨୬ ରେ ବିଦ୍ୟାଳୟ ସ୍ତରୀୟ କୁଇଜ ଏବଂ ପୋଷ୍ଟର ଉପସ୍ଥାପନା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା | ସେଥି ମଧ୍ୟରୁ କୁଇଜ ରେ ପିଏମ ଶ୍ରୀ ଡ଼ିଏନ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ସଂଚିତ ସାହୁ ପ୍ରଥମ ସ୍ଥାନ , ପିଏମ ଶ୍ରୀ ଟାଉନ ମହିଳା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ମୌସୁମୀ ଦାସ ଦ୍ୱତୀୟ ସ୍ଥାନ ଏବଂ ପିଏମ ଶ୍ରୀ ଡ଼ିଏନ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଦିଲୀପ କୁମାର ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ | ସେହିପରି ପୋଷ୍ଟର ଉପସ୍ଥାପନା ପ୍ରତିଯୋଗିତାରେ ପିଏମ ଶ୍ରୀ ଟାଉନ ମହିଳା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ସୌଭାଗ୍ୟବତି ସେଠୀ ପ୍ରଥମ ସ୍ଥାନ, ପିଏମ ଶ୍ରୀ ଡ଼ିଏନ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ସୁମିତ୍ରା ମହାନ୍ତ ଦ୍ୱିତୀୟ ସ୍ଥାନ ଓ ସେହି ପିଏମ ଶ୍ରୀ ଡ଼ିଏନ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ସ୍ମୃତିରେଖା ମହାନ୍ତ ତୃତୀୟ ସ୍ଥାନ ଅଧିକାର କରିଥିଲେ |ଏହି କାର୍ଯ୍ୟକ୍ରମରେ ସାମଗ୍ରିକ ଭାବରେ ପରିସଂଖ୍ୟାନ କ୍ଷେତ୍ର କାର୍ଯ୍ୟରେ ବ୍ୟକ୍ତିଗତ ସ୍ତରରେ ଉତ୍ତମ ପ୍ରଦର୍ଶନ ନିମନ୍ତେ ୨୦୨୫-୨୬ କୃଷି ବର୍ଷ ପାଇଁ ଯଥାକ୍ରମେ ପ୍ରଥମ , ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପରିସଂଖ୍ୟାନ କ୍ଷେତ୍ର ସର୍ଭେୟର ଯଥା ଘସିପୁରା ବ୍ଲକ ର ସନାତନ ସାହୁ , ତେଲକୋଇ ବ୍ଲକର ଯୁଧିଷ୍ଠିର ମଲ୍ଲିକ ଏବଂ ଝୁମ୍ପୁରା ବ୍ଲକର ତାପସ କୁମାର ପ୍ରଧାନ ଏବଂ ସେହିପରି ୨୦୨୫-୨୬ କୃଷି ବର୍ଷ ପାଇଁ ଆନୁଷ୍ଠାନିକ ସ୍ତରରେ ବ୍ଲକ ପରିସଂଖ୍ୟାନ କାର୍ଯ୍ୟାଳୟ ମାନଙ୍କର ଉତ୍ତମ ପ୍ରଦର୍ଶନ ନିମନ୍ତେ ଯଥାକ୍ରମେ ପ୍ରଥମ , ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବ୍ଲକ ପରିସଂଖ୍ୟାନ କାର୍ଯ୍ୟାଳୟର ଯଥାକ୍ରମେ ଘସିପୁରା ,ଘଟଗାଁ ଓ ହରିଚନ୍ଦନପୁର ବ୍ଲକକୁ ସମ୍ମାନିତ କରାଯାଇଥିଲା |
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୂଷଣ, ଡିଡି ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗ ସହକାରୀ ପ୍ରଫେସର ଡ. ନବଘନ ମଲ୍ଲିକ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସାର୍ଥକ ଅଭିନନ୍ଦନ ରାୟଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ପ୍ରଫେସର ଏବଂ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ପରିସଂଖ୍ୟାନର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ସହ ନିର୍ଦ୍ଦେଶକ ଜୟରାମ ଟୁଡୁ ,ପରିସଂଖ୍ୟାନ ଅଧିକାରୀ ଅନୁପମା ପାତ୍ର , ବରିଷ୍ଠ ଅର୍ଥନୀତି ଅନୁସନ୍ଧାନକରି ପୃଥ୍ୱୀରାଜ ସୋରେନ, ମାଧୁରୀ ପ୍ରିୟା ହନହଗା , ପ୍ରଶାନ୍ତ ପ୍ରଧାନ , ଅନୁସନ୍ଧାନକାରୀ ବିନ୍ଦିଆ ମୁଣ୍ଡା, ବିଷ୍ଣୁପ୍ରିୟା ଓଝା ଓ ଡିପିଏମୟୁର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ | ଶେଷରେ ପରିସଂଖ୍ୟାନ ଅଧିକାରୀ ଅନୁପମା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ|
