ଋଷିକୂଲ୍ୟା ନଦୀରୁ ରାତି ଅଧିଆ ବାଲି ଚୋରା ଚାଲାଣ: ପ୍ରଶାସନର ବିଫଳତା, ବାଲି ମାଫିଆଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ସ୍ଥାନୀୟ ବାସିନ୍ଦା
Ganjam (ଗଞ୍ଜାମ)ରିପୋର୍ଟ:ପିତାମ୍ବର ମହାରଣା (ଛତ୍ରପୁର)June 30, 202623 views

ଛତ୍ରପୁର ଅଞ୍ଚଳ ଦେଇ ପ୍ରବାହିତ ପବିତ୍ର ଋଷିକୂଲ୍ୟା ନଦୀରୁ ବେଆଇନ ବାଲି ଉତ୍ତୋଳନ ଓ ଚୋରା ଚାଲାଣ ଏବେ ଚରମ ସୀମାରେ ପହଞ୍ଚିଛି। ପ୍ରଶାସନ ପକ୍ଷରୁ ମାଧପୁର ବାଲି ସୈରାତକୁ ବନ୍ଦ କରାଯାଇଥିଲେ ମଧ୍ୟ କିଛି ଅସାଧୁ ମୁଷ୍ଟିମେୟ ବ୍ୟକ୍ତି ଓ ବାଲି ମାଫିଆଙ୍କ ଛତ୍ରଛାୟା ତଳେ ଏହି ବେଆଇନ କାରବାର ଅବାଧରେ ଚାଲିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଦିନ ସାରା ସବୁ କିଛି ଶାନ୍ତ ରହୁଥିବା ବେଳେ ସନ୍ଧ୍ୟା ହେବା ମାତ୍ରେ ହିଁ ନଦୀ ପଠାର ଚିତ୍ର ବଦଳିଯାଉଛି। ଶହ ଶହ ଟିପର ଏବଂ ଟ୍ରାକ୍ଟର ସାହାଯ୍ୟରେ ବେଧଡ଼କ ଭାବେ ବାଲି ଚୋରା ଚାଲାଣ କରାଯାଉଛି। ରାତି ଅଧରେ ନଦୀ ଗର୍ଭରୁ ବାଲି ଖୋଳି ପ୍ରଶାସନର ଆଖିରେ ଧୂଳି ଦେଇ ଏହି ବ୍ୟବସାୟ ଜୋରସୋରରେ ଚାଲିଛି।
ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ସ୍ଥାନୀୟ ପ୍ରଶାସନ ଏହି ସମସ୍ତ ବେଆଇନ କାର୍ଯ୍ୟକଳାପ ବିଷୟରେ ସମ୍ପୂର୍ଣ୍ଣ ଅବଗତ ଥିଲେ ସୁଦ୍ଧା, ଚୋରା ଚାଲାଣ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ସାବ୍ୟସ୍ତ ହୋଇଛି। ପ୍ରଶାସନର ଏଭଳି ନୀରବତା କାହା ସ୍ୱାର୍ଥରେ ବୋଲି ଏବେ ଜନସାଧାରଣରେ ପ୍ରଶ୍ନ ଉଠୁଛି।
ରାତି ସମୟରେ ବାଲି ମାଫିଆଙ୍କ ପ୍ରାଦୁର୍ଭାବ ଏଭଳି ଭାବେ ବୃଦ୍ଧି ପାଇଛି ଯେ, ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ଗାଡ଼ିଗୁଡ଼ିକର ଦ୍ରୁତ ଓ ବେପରୁଆ ଚଳାଚଳ ଯୋଗୁଁ ସାଧାରଣ ଲୋକେ ରାତିରେ ଘରୁ ବାହାରିବାକୁ ମଧ୍ୟ ସମ୍ଭବପର ମଣୁନାହାନ୍ତି।
ଯଦି ତୁରନ୍ତ ଏହି ଚୋରା ଚାଲାଣ ଉପରେ ରୋକ ନଲଗାଯାଏ, ତେବେ ଆଗାମୀ ଦିନରେ ନଦୀର ପ୍ରାକୃତିକ ସନ୍ତୁଳନ ବିଗିଡ଼ିବା ସହ ସ୍ଥାନୀୟ ଅଞ୍ଚଳରେ ବଡ଼ ଧରଣର ଜନ ଆନ୍ଦୋଳନ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।
