ଧାନ ମଣ୍ଡିରେ ଚାଷୀଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିଲା: ୩୫୩ ଜାତୀୟ ରାଜପଥ ଅବରୋଧ, ତୁରନ୍ତ ଧାନ ଉଠାଣ ଦାବି
Nuapada (ନୂଆପଡ଼ା)ରିପୋର୍ଟର: ଭଜନ ଲାଲ ଜଗତJune 29, 202645 views

ଖଡ଼ିଆଳ, ୨୯/୦୬
ରବି ଧାନ କିଣାରେ ଅବ୍ୟବସ୍ଥା ଓ ମଣ୍ଡିରେ ଦୀର୍ଘଦିନ ଧରି ପଡ଼ି ରହିଥିବା ଧାନ ବର୍ଷାରେ ଭିଜି ନଷ୍ଟ ହେବା ପ୍ରତିବାଦରେ ସୋମବାର ନୂଆପଡ଼ା ଜିଲ୍ଲା ଖଡ଼ିଆଳ କୃଷକ ସଂଗଠନ ପକ୍ଷରୁ ୩୫୩ ନମ୍ବର ଜାତୀୟ ରାଜପଥରେ ଧାନ ବସ୍ତା ରଖି ଅଭିନବ ରାସ୍ତା ଅବରୋଧ କରାଯାଇଛି। ଚାଷୀଙ୍କ ଏହି ଆନ୍ଦୋଳନ ଫଳରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ସରକାର ବିରୋଧରେ ଚାଷୀଙ୍କ କ୍ଷୋଭ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଛି।
ଆନ୍ଦୋଳନକାରୀ ଚାଷୀମାନେ ସରକାରଙ୍କୁ ତୁରନ୍ତ ଧାନ ମଣ୍ଡିରୁ ଧାନ ଉଠାଇବାକୁ ଦାବି କରିଛନ୍ତି। ଏପରି ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତା ଅବରୋଧ ସହ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସେମାନେ ସ୍ପଷ୍ଟ ଚେତାବନୀ ଦେଇଛନ୍ତି।
ଖଡ଼ିଆଳ ବିଜେପୁର ରବି ଧାନ ମଣ୍ଡିର ଶତାଧିକ ଚାଷୀଙ୍କ ସହିତ ଭୋଜପୁର, ବରଗାଁ, ସାନମହେଶ୍ୱର, ଅରେଡ଼ା ସମେତ ଆଖପାଖ ଅଞ୍ଚଳର ଶହ ଶହ ଚାଷୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ଚାଷୀଙ୍କ ଏକତା ଓ କ୍ଷୋଭର ଏହି ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା।
ଏପଟେ ବିଜେପୁର ରବି ଧାନ ମଣ୍ଡିରେ ପ୍ରବଳ ବର୍ଷା ଚାଷୀଙ୍କ ଦୁଃଖକୁ ଆହୁରି ବଢ଼ାଇ ଦେଇଛି। ମଣ୍ଡିରେ ଦୀର୍ଘଦିନ ଧରି ପଡ଼ି ରହିଥିବା ହଜାର ହଜାର ଧାନ ବସ୍ତା ବର୍ଷା ପାଣିରେ ଭିଜି ଗଜା ହେବା ଆରମ୍ଭ କରିଛି। ବର୍ଷା ପାଣି ନିଷ୍କାସନର ସୁବିଧା ନଥିବାରୁ ପ୍ରାୟ ୧୦ ହଜାରରୁ ଅଧିକ ଧାନ ବସ୍ତା କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଚାଷୀଙ୍କ କହିବାନୁସାରେ, କଠିନ ପରିଶ୍ରମ କରି ଉତ୍ପାଦନ କରିଥିବା ଧାନ ବିକ୍ରି କରି ପରିବାର ଚଳାଇବା ଓ ଋଣ ପରିଶୋଧ କରିବାର ଆଶା ରଖିଥିଲେ। କିନ୍ତୁ ମଣ୍ଡିର ଅବ୍ୟବସ୍ଥା ଓ ପ୍ରଶାସନିକ ଅବହେଳା ଯୋଗୁଁ ସେମାନଙ୍କ ସମସ୍ତ ଆଶା ବର୍ଷା ପାଣିରେ ଭାସିଯାଇଛି। ଅନେକ ଧାନ ବସ୍ତା ଅଙ୍କୁରିତ ହୋଇଥିବାରୁ ଏହାର ମୂଲ୍ୟ ମିଳିବ କି ନାହିଁ, ସେନେଇ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି।
ଚାଷୀଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଘଟଣାସ୍ଥଳରେ ଖଡ଼ିଆଳ ବିଡିଓ ଓ ତହସିଲଦାର ପହଞ୍ଚି ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ବୁଝାସୁଝା କରିଥିଲେ। ତେବେ ଚାଷୀମାନେ ସ୍ପଷ୍ଟ କରିଛନ୍ତି ଯେ, ଧାନ ଉଠାଣ ପ୍ରକ୍ରିୟା ତୁରନ୍ତ ଆରମ୍ଭ ନହେଲେ ଆନ୍ଦୋଳନ ଜାରି ରହିବ।
ଚାଷୀଙ୍କ ସମସ୍ୟାର ଶୀଘ୍ର ସମାଧାନ ସହ କ୍ଷତିଗ୍ରସ୍ତ ଧାନର ଯଥୋଚିତ କ୍ଷତିପୂରଣ ଦେବାକୁ ସମଗ୍ର ଅଞ୍ଚଳରେ ଦାବି ଜୋର ଧରିଛି।
