ଆଇଆରସି ଭିଲେଜ୍ ହାଇସ୍କୁଲରେ ନୂତନ ରାସ୍ତା ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ, ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ଯାତାୟାତକୁ ଗୁରୁତ୍ୱ
Bhubaneswar (ଭୁବନେଶ୍ୱର)ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ଭୁବନେଶ୍ୱରJune 29, 202640 views

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଆଇଆରସି ଭିଲେଜ୍ ହାଇସ୍କୁଲ ପରିସରରେ ସୋମବାର ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ଓ ସୁବିଧାଜନକ ଯାତାୟାତ ପାଇଁ ନୂତନ ରାସ୍ତା ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ଏହି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ଉତ୍ସବ ଉତ୍ସାହର ସହ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ ଭୁବନେଶ୍ୱର ମହାନଗର ନିଗମ (BMC)ର ମେୟର ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ, ଉତ୍ତର ଭୁବନେଶ୍ୱରର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ୧୫ ନମ୍ବର ୱାର୍ଡର କର୍ପୋରେଟର ଶ୍ରୀମତୀ ମାନସୀ ରାଣୀ ସୁନ୍ଦରରାୟ, ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ, ଅଭିଭାବକ ଏବଂ ସ୍ଥାନୀୟ ବାସିନ୍ଦାମାନେ ଉପସ୍ଥିତ ଥିଲେ।
ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ, ଏହି ନୂତନ ରାସ୍ତା ନିର୍ମାଣ ଦ୍ୱାରା ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ଯାତାୟାତ ଅଧିକ ସୁରକ୍ଷିତ ଓ ସୁଗମ ହେବ। ସେଥିସହ ସହରୀ ଭିତ୍ତିଭୂମିର ବିକାଶ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକର ମୌଳିକ ସୁବିଧା ବୃଦ୍ଧି ପାଇଁ ବିଏମସି ଓ ସରକାର ପକ୍ଷରୁ ଏଭଳି ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିବ ବୋଲି ସେମାନେ ପ୍ରକାଶ କରିଥିଲେ।
ସ୍ଥାନୀୟ ବାସିନ୍ଦା ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ଏହା ଅଞ୍ଚଳର ସାମଗ୍ରିକ ବିକାଶ ଏବଂ ଶିକ୍ଷା ପରିବେଶକୁ ଆହୁରି ସୁଦୃଢ଼ କରିବ ବୋଲି ମତ ପ୍ରକାଶ କରିଛନ୍ତି।
