ନିୟମଗିରି ସୁରକ୍ଷା ସମିତି ନେତା ଲଦ ସିକକାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ, ପଳାତକ ଘୋଷଣା ଆଦେଶରେ ଚର୍ଚ୍ଚା
Kalahandi (କଳାହାଣ୍ଡି)ରିପୋର୍ଟ: ସୁକାନ୍ତ ପ୍ରଧାନ, ଭବାନୀପାଟଣାJune 29, 202642 views

ଭୁବନେଶ୍ୱର/କଳାହାଣ୍ଡି, ଜୁନ ୨୯: ନିୟମଗିରି ସୁରକ୍ଷା ସମିତିର ପ୍ରମୁଖ ନେତା ଲଦ ସିକକାଙ୍କ ନାମରେ ସଙ୍ଗୀନ ଅଭିଯୋଗ ଉଠିଥିବା ବେଳେ, ଗତ ୧୫ ମାର୍ଚ୍ଚ ୨୦୨୬ରେ ଲାଞ୍ଜିଗଡ଼ ମୁନସିଫ କୋର୍ଟ ତାଙ୍କୁ ପଳାତକ ଘୋଷଣା କରିବା ସହ ତାଙ୍କ ସମ୍ପତ୍ତି ଜବତ କରିବାକୁ ଆଦେଶ ଜାରି କରିଛନ୍ତି। ଏହି ଆଦେଶ କଲ୍ୟାଣସିଂହପୁର ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ ପ୍ରେରଣ କରାଯାଇଛି।
ଏହି ଘଟଣାକୁ ନେଇ ଓକିଲ, ମାନବିକ ଅଧିକାର ସଂଗଠନ, ନାଗରିକ ସମାଜ ଏବଂ ବିଭିନ୍ନ ରାଜନୈତିକ ଗୋଷ୍ଠୀରେ ଚିନ୍ତା ଓ ଉଦ୍ବେଗ ପ୍ରକାଶ ପାଇଛି।
ଲଦ ସିକକା ଡଙ୍ଗରିଆ କନ୍ଧ ଜନଜାତିର ଏକ ସଦସ୍ୟ, ଯାହାକି ଓଡ଼ିଶା ସରକାରଙ୍କ ଦ୍ୱାରା ଚିହ୍ନିତ ବିଶେଷ ଦୁର୍ବଳ ଆଦିବାସୀ ଗୋଷ୍ଠୀ (PVTG) ଭିତରେ ଅନ୍ତର୍ଭୁକ୍ତ। ସେ ନିୟମଗିରି ପର୍ବତକୁ ବକ୍ସାଇଟ ଖଣି ଖନନରୁ ସୁରକ୍ଷା କରିବା ପାଇଁ ଚାଲିଥିବା ଦୀର୍ଘଦିନର ଜନଆନ୍ଦୋଳନର ଏକ ଅଗ୍ରଣୀ ନେତା ।
ଦଶନ୍ଧି ଧରି ଚାଲିଥିବା ଏହି ଆନ୍ଦୋଳନ ତାଙ୍କୁ ଓଡ଼ିଶା ସହିତ ସମଗ୍ର ଦେଶରେ ପରିଚିତ କରାଇଛି। ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ପାଇଁ ଚାଲିଥିବା ବିଭିନ୍ନ ଆନ୍ଦୋଳନରେ ସେ ସଂହତି ଜଣେଇବା ସହିତ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସଭାସମ୍ମେଳନରେ ଭାଗ ନେଇଆସୁଥିବା ସୂଚନା ମିଳିଛି। ଏହା ସହିତ ସେ ନିଜ ସମୁଦାୟର ମଙ୍ଗଳ ନିମନ୍ତେ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ପ୍ରଶାସନ ସହ ସମ୍ପର୍କ ରଖିଆସୁଛନ୍ତି।
ବିଶେଷଜ୍ଞମାନଙ୍କ ମତାନୁସାରେ, ବିକାଶ ନାମରେ ଆଦିବାସୀଙ୍କ ଜୀବନଜୀବିକା ଉପରେ ପଡ଼ୁଥିବା ପ୍ରଭାବର ଏହା ଏକ ଉଦାହରଣ। ଲଦ ସିକକାଙ୍କୁ ପଳାତକ ଘୋଷଣା କରିବା ନେଇ ବୁଦ୍ଧିଜୀବୀ ମହଳରେ ତୀବ୍ର ଅସନ୍ତୋଷ ଦେଖାଯାଇଛି।
ଏହି ଘଟଣା ଆଗାମୀ ଦିନରେ ରାଜ୍ୟର ଆଦିବାସୀ ଆନ୍ଦୋଳନ ଓ ମାନବାଧିକାର ପ୍ରସଙ୍ଗରେ ନୂଆ ଚର୍ଚ୍ଚାକୁ ଜନ୍ମ ଦେଇପାରେ।
