‘ମନ କି ବାତ’ରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା: ବିବାହ ଅବସରରେ ୩,୫୦୦ ଲୋକଙ୍କୁ ଦୁର୍ଘଟଣା ବୀମା ଦେଇ ଉଦାହରଣ ସୃଷ୍ଟି କଲା ନାନ୍ଦେଡ଼ର ପରିବାର
Bhubaneswar (ଭୁବନେଶ୍ୱର)ରିପୋର୍ଟ: ସୁକାନ୍ତ ପ୍ରଧାନJune 29, 202628 views

ନୂଆଦିଲ୍ଲୀ/ନାନ୍ଦେଡ଼:
ଆଜିର ‘ମନ କି ବାତ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏକ ହୃଦୟସ୍ପର୍ଶୀ ଉଦାହରଣ ସେୟାର କରିଛନ୍ତି, ଯାହା ସମାଜ ପାଇଁ ଏକ ନୂତନ ପଥ ପ୍ରଦର୍ଶନ କରୁଛି। ମହାରାଷ୍ଟ୍ରର ନାନ୍ଦେଡ଼ ଜିଲ୍ଲାର ବାହାଦୁରପୁରା ଗାଁର ପେଠକର ପରିବାର ନିଜ ଘରର ବିବାହ ଅବସରକୁ ଏକ ସାମାଜିକ ଉତ୍ସବରେ ପରିଣତ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ, ସାଧାରଣତଃ ବିବାହ ଓ ଜନ୍ମଦିନ ଭଳି ଅବସରରେ ଲୋକେ ଉପହାର ବାଣ୍ଟନ୍ତି, କିନ୍ତୁ ଏହି ପରିବାର ଏକ ଅଲଗା ଓ ସମାଜମୂଖୀ ପଦକ୍ଷେପ ନେଇଛନ୍ତି। ପେଠକର ପରିବାର ଗାଁର ପ୍ରାୟ ୩,୫୦୦ ଲୋକଙ୍କ ପାଇଁ ଦୁର୍ଘଟଣା ବୀମା ବ୍ୟବସ୍ଥା କରି, ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କାର କଭର ଦେଇଛନ୍ତି।
ଏହି ପଦକ୍ଷେପ ପଛରେ ଥିବା ଭାବନାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଖୁସି ବାଣ୍ଟିବାର ଏହି ନୂଆ ଧାରା ସତ୍ୟରେ ପ୍ରେରଣାଦାୟକ। ଏହା କେବଳ ଉତ୍ସବ ନୁହେଁ, ଏକ ସମାଜିକ ଦାୟିତ୍ୱର ଉଦାହରଣ।”
ପରିବାର ଲୋକେ କହିଛନ୍ତି ଯେ, ସେମାନେ ପୂର୍ବରୁ ଦେଖିଥିଲେ ଯେ ଦୁର୍ଘଟଣା ପରେ ଅନେକ ପରିବାର ଆର୍ଥିକ ସମସ୍ୟାରେ ପଡନ୍ତି। ଏହିଥିପାଇଁ ସେମାନେ ଭାବିଥିଲେ ଯେ ଏଭଳି ଏକ ଉପହାର ଦିଆଯାଉ, ଯାହା ଆପତ୍କାଳୀନ ସମୟରେ ସାହାଯ୍ୟ କରିପାରିବ।
ଏହି ଅଭିନବ ପଦକ୍ଷେପକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି ଓ ଅନେକେ ଏହାକୁ ଅନୁସରଣ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ‘ମନ କି ବାତ’ ମାଧ୍ୟମରେ ଏହି କାହାଣୀ ପ୍ରସାରିତ ହେବା ପରେ ଏହା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଯାଇଛି।
