--:--:--
-- ---
Srishti News

୩୦ ବର୍ଷ ଅସ୍ଥାୟୀ ଚାକିରି ପରେ ବହିଷ୍କାର: ଦୁଇ କର୍ମଚାରୀଙ୍କୁ ୨୦ ଲକ୍ଷ ଲେଖାଏ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Bhubaneswar (ଭୁବନେଶ୍ୱର)ରିପୋର୍ଟ: କବିରାଜ ପାତ୍ର, ସ୍ୱତନ୍ତ୍ର ପ୍ରତିନିଧିJune 28, 202674 views
୩୦ ବର୍ଷ ଅସ୍ଥାୟୀ ଚାକିରି ପରେ ବହିଷ୍କାର: ଦୁଇ କର୍ମଚାରୀଙ୍କୁ ୨୦ ଲକ୍ଷ ଲେଖାଏ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଏକ ଜାତୀୟକରଣ ବ୍ୟାଙ୍କରେ ପ୍ରାୟ ତିନି ଦଶନ୍ଧି ଧରି ଅସ୍ଥାୟୀ କର୍ମଚାରୀ ଭାବେ କାମ କରିବା ପରେ ବହିଷ୍କୃତ ହୋଇଥିବା ଦୁଇଜଣ କର୍ମଚାରୀଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଦୀକ୍ଷିତ କୃଷ୍ଣ ଶ୍ରୀପାଦ ଏବଂ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମୟାଧର ନାୟକ ଓ ଅନ୍ୟ ଜଣେ ଆବେଦନକାରୀଙ୍କ ମାମଲାର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି। ଆଦାଲତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଚାକିରି ନିୟମିତ କରିବା ପରିବର୍ତ୍ତେ ଦୁଇଜଣଙ୍କୁ ଏକକାଳୀନ ୨୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ୮ ସପ୍ତାହ ମଧ୍ୟରେ ପ୍ରଦାନ କରାଯିବ। ନିର୍ଦ୍ଧାରିତ ସମୟରେ ଅର୍ଥ ପ୍ରଦାନ ନ କଲେ ପ୍ରଥମ ମାସ ପାଇଁ ୧ ପ୍ରତିଶତ ଏବଂ ପରବର୍ତ୍ତୀ ସମୟ ପାଇଁ ୨ ପ୍ରତିଶତ ସୁଧ ଦେବାକୁ ପଡ଼ିବ। ଏହି ସୁଧ ବାବଦ ଅର୍ଥ ସମ୍ପୃକ୍ତ ତ୍ରୁଟିକାରୀ ବ୍ୟାଙ୍କ ଅଧିକାରୀଙ୍କ ଦରମାରୁ ଆଦାୟ କରାଯିବ ବୋଲି ମଧ୍ୟ ଆଦାଲତ ସ୍ପଷ୍ଟ କରିଛନ୍ତି। ମାମଲାରୁ ପ୍ରକାଶ ଯେ, ଆବେଦନକାରୀ ମାନେ ଦୈନିକ ମଜୁରି ଭିତ୍ତିରେ ପ୍ରାୟ ୩୦ ବର୍ଷ ଧରି ବ୍ୟାଙ୍କରେ କାର୍ଯ୍ୟ କରିଥିଲେ। ସେମାନଙ୍କ ଚାକିରି କେବେ ନିୟମିତ କରାଯାଇନଥିଲା। ଅବସର ଗ୍ରହଣର ପ୍ରାୟ ୧୦ ବର୍ଷ ବାକି ଥିବାବେଳେ ୧୯ ଜୁଲାଇ ୨୦୨୫ରେ ବ୍ୟାଙ୍କ ସେମାନଙ୍କୁ କାର୍ଯ୍ୟରୁ ବହିଷ୍କାର କରିଥିଲା। ସେତେବେଳେ ବ୍ୟାଙ୍କ ପକ୍ଷରୁ ୩ ଲକ୍ଷ ୩୦ ହଜାର ୯୩୪ ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ଜୀବନର ଅଧିକାଂଶ ସମୟ ବ୍ୟାଙ୍କରେ କାର୍ଯ୍ୟ କରିଥିବାରୁ ପରିଣତ ବୟସରେ ନୂତନ ନିଯୁକ୍ତି ପାଇବାର ସମ୍ଭାବନା ଅତ୍ୟନ୍ତ କମ୍। ତେଣୁ ବହିଷ୍କାର ଆଦେଶ ବାତିଲ କରାଯାଉ କିମ୍ବା ଉପଯୁକ୍ତ କ୍ଷତିପୂରଣ ଦିଆଯାଉ ବୋଲି ସେମାନେ ଆଦାଲତଙ୍କୁ ଅନୁରୋଧ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରାଜୀବ ରଥ ଓ ସୋମଶେଖର ରଥ ମାମଲା ପରିଚାଳନା କରିଥିଲେ।