ଭଞ୍ଜନଗରରେ କଂଗ୍ରେସର ବିଶାଳ ବୈଠକ: NEET ପେପର ଲିକ୍ ପ୍ରତିବାଦ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବହିଷ୍କାର ଦାବି
Ganjam (ଗଞ୍ଜାମ)ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ, ଭଞ୍ଜନଗରJune 28, 202658 views

ଦେଶବ୍ୟାପୀ ଚାଲିଥିବା ଛାତ୍ର ଆନ୍ଦୋଳନକୁ ସମର୍ଥନ ଜଣାଇ ଏବଂ କେନ୍ଦ୍ର ସରକାରଙ୍କ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ବିରୁଦ୍ଧରେ ଗଞ୍ଜାମ (ପଶ୍ଚିମ) ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ, ଗଞ୍ଜାମ (ପଶ୍ଚିମ) ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦଣ୍ଡପାଣି ପାତ୍ର ଏବଂ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବବି ଅନନ୍ତନାଗ ରଥଙ୍କ ବଳିଷ୍ଠ ନେତୃତ୍ୱରେ ଭଞ୍ଜନଗର ତଥା ଘୁମୁସର ଅଞ୍ଚଳରେ ଏହି ପ୍ରତିବାଦ ସଭା ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବରିଷ୍ଠ କଂଗ୍ରେସ ନେତୃମଣ୍ଡଳୀ, ସାଧାରଣ କର୍ମୀ ଏବଂ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସାମ୍ପ୍ରତିକ ସମୟରେ NEET ଏବଂ CBSE ପେପର ଲିକ୍ ଦୁର୍ନୀତି ଯୋଗୁଁ ଦେଶର ଲକ୍ଷ ଲକ୍ଷ ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଇଛି ବୋଲି ବୈଠକରେ ଗଭୀର ଉଦ୍ବେଗ ପ୍ରକାଶ ପାଇଛି। ଏଥିପାଇଁ କେନ୍ଦ୍ରର ଶିକ୍ଷା ବ୍ୟବସ୍ଥାକୁ ତୀବ୍ର ନିନ୍ଦା କରାଯିବା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବହିଷ୍କାର ପାଇଁ ଦୃଢ଼ ଦାବି କରାଯାଇଛି।
ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା, ଦେଶର ସମସ୍ତ ଯୁବକ-ଯୁବତୀଙ୍କ ଲାଗି ସୁଦୂରପ୍ରସାରୀ ରୋଜଗାର ପନ୍ଥା ସୃଷ୍ଟି କରିବା ଏବଂ ସ୍ଥାନୀୟ ଜନସାଧାରଣଙ୍କ ସମସ୍ୟାର ସୁଧାର ଆଣିବା ପାଇଁ ବୈଠକରେ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ସହିତ ଆଗାମୀ ଦିନରେ କଂଗ୍ରେସ ସଂଗଠନକୁ ବୁଥ୍ ସ୍ତରରୁ ଅଧିକ ମଜବୁତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।
ଶେଷରେ, ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଉପସ୍ଥିତ ସମସ୍ତ ସାମ୍ବାଦିକ, ଛାତ୍ରଛାତ୍ରୀ ଏବଂ ନୂତନ ଓ ପୁରାତନ କର୍ମକର୍ତ୍ତାଙ୍କୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରାଯାଇଛି।
