ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ନେଇ ଭବାନୀପାଟଣାରେ AISFର ବିକ୍ଷୋଭ, ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି
Kalahandi (କଳାହାଣ୍ଡି)ରିପୋର୍ଟ: ରିତେଶ କୁମାର ମୁଣ୍ଡ, ଭବାନୀପାଟଣା/କଳାହାଣ୍ଡିJune 28, 202636 views

ଭବାନୀପାଟଣା: ଅଖିଳ ଭାରତ ଛାତ୍ରସଂଘ (AISF) କଳାହାଣ୍ଡି ଜିଲ୍ଲା ପରିଷଦ ପକ୍ଷରୁ ଆଜି ଭବାନୀପାଟଣା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ନେଇ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇଛି। ଜିଲ୍ଲା ନେତା ଦୋଳେଶ୍ୱର ଖମାରିଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରାଯାଇଥିଲା।
ପ୍ରତିବାଦ ସଭାକୁ ସମ୍ବୋଧିତ କରି ଜିଲ୍ଲା ସଭାପତି ରାଜାରାମ ଡଙ୍ଗରୀ ଓ ଦୋଳେଶ୍ୱର ଖମାରି କହିଥିଲେ ଯେ, ପାଠ୍ୟପୁସ୍ତକରେ ରହିଥିବା ତ୍ରୁଟି ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଭବିଷ୍ୟତ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ଏଭଳି ତ୍ରୁଟି ଶିକ୍ଷାର ମାନକୁ ହ୍ରାସ କରୁଥିବା ବେଳେ ଏହା ପ୍ରତି ସରକାର ଦାୟିତ୍ୱ ନେବା ଆବଶ୍ୟକ ବୋଲି ସେମାନେ ଦାବି କରିଥିଲେ। ସଂଗଠନ ପକ୍ଷରୁ ଏହା ମଧ୍ୟ ଅଭିଯୋଗ କରାଯାଇଥିଲା ଯେ, ପାଠ୍ୟପୁସ୍ତକର ତ୍ରୁଟି ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରୁଛି।
AISF ପକ୍ଷରୁ ଉଠାଯାଇଥିବା ପ୍ରମୁଖ ଦାବିଗୁଡ଼ିକ ହେଲା— ଛାତ୍ରଛାତ୍ରୀଙ୍କୁ ନିର୍ଭୁଲ ଓ ବିଜ୍ଞାନସମ୍ମତ ପାଠ୍ୟପୁସ୍ତକ ଯୋଗାଇବା, ତ୍ରୁଟିପୂର୍ଣ୍ଣ ପୁସ୍ତକ ପାଇଁ ବ୍ୟୟ ହୋଇଥିବା ଅର୍ଥ ସଂପୃକ୍ତ ମନ୍ତ୍ରୀ ଓ ଅଧିକାରୀଙ୍କଠାରୁ ଆଦାୟ କରିବା, ଦାୟୀ ବିଶେଷଜ୍ଞ ଓ ସମ୍ପାଦକମାନଙ୍କୁ କଳାତାଲିକାଭୁକ୍ତ କରିବା, ସଂଶୋଧନ ପୁସ୍ତିକା ପରିବର୍ତ୍ତେ ପୂର୍ବରୁ ପ୍ରଚଳିତ ପାଠ୍ୟପୁସ୍ତକ ଆଧାରରେ ଚଳିତ ଶିକ୍ଷାବର୍ଷରେ ପାଠଦାନ ଜାରି ରଖିବା ଏବଂ ଜାତୀୟ ଶିକ୍ଷା ନୀତି–୨୦୨୦ ପ୍ରତ୍ୟାହାର କରିବା।
ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ଦାବିଗୁଡ଼ିକ ଶୀଘ୍ର ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ ଓ ତୀବ୍ର କରାଯିବ।
ଏହି ବିକ୍ଷୋଭରେ ରାଜାରାମ ଡଙ୍ଗରୀ, ରୋହିତ ବେଶ୍ରା, ଆକାଶ ନିଆଲ, ଶିବା ମାଝୀ, ଭକ୍ତ ମାଝୀ, ଦୋଳେଶ୍ୱର ଖମାରିଙ୍କ ସମେତ ବହୁ ଛାତ୍ର ନେତା ଓ କର୍ମୀ ଅଂଶଗ୍ରହଣ କରିଥିଲେ।
