--:--:--
-- ---
Srishti News

ଦେବଗଡ଼ରେ ଶିଶୁଶ୍ରମ ଉଚ୍ଛେଦ ପାଇଁ ଜିଲ୍ଲାସ୍ତରୀୟ ପରାମର୍ଶ ବୈଠକ, ସଚେତନତା ଓ ସମନ୍ୱିତ କାର୍ଯ୍ୟ ଉପରେ ଗୁରୁତ୍ୱ

Deogarh (ଦେଓଗଡ଼)ରିପୋର୍ଟ: ସୌମ୍ୟବ୍ରତ ଦଳବାହେରା, ଦେବଗଡ଼June 28, 202645 views
ଦେବଗଡ଼ରେ ଶିଶୁଶ୍ରମ ଉଚ୍ଛେଦ ପାଇଁ ଜିଲ୍ଲାସ୍ତରୀୟ ପରାମର୍ଶ ବୈଠକ, ସଚେତନତା ଓ ସମନ୍ୱିତ କାର୍ଯ୍ୟ ଉପରେ ଗୁରୁତ୍ୱ
ଦେବଗଡ଼: ରାଜ୍ୟବ୍ୟାପୀ ଶିଶୁ ଶ୍ରମ ଉଚ୍ଛେଦ ଅଭିଯାନ ଅନ୍ତର୍ଗତ ଦେବଗଡ଼ ଜିଲ୍ଲାରେ ଏକ ଜିଲ୍ଲାସ୍ତରୀୟ ପରାମର୍ଶ ବୈଠକ ସହ ସୂଚନା-ଶିକ୍ଷା-ଯୋଗାଯୋଗ (IEC) ଓରିଏଣ୍ଟେସନ୍ ଓ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR)-ର ମାନ୍ୟବର ସଦସ୍ୟା ଶ୍ରୀମତୀ କସ୍ତୁରୀ ମିଶ୍ର ଓ ଶ୍ରୀମତୀ ଚନ୍ଦନା ଦାସ ଯୋଗଦେଇ ଶିଶୁ ଅଧିକାର ସୁରକ୍ଷା ଏବଂ ଶିଶୁ ଶ୍ରମ ନିରାକରଣ ଦିଗରେ ସମନ୍ୱିତ ପଦକ୍ଷେପର ଆହ୍ୱାନ କରିଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ADM), ପୁଲିସ ଅଧୀକ୍ଷକ (SP), ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA)-ର ସଚିବ, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ସାମାଜିକ ଅନୁଷ୍ଠାନ, ନିଯୁକ୍ତିଦାତା, ଶ୍ରମିକ ସଂଗଠନ ଓ ଅନ୍ୟାନ୍ୟ ଅଂଶୀଦାର ମାନେ ଉପସ୍ଥିତ ରହିଥିଲେ। ରିସୋର୍ସ ପର୍ସନ୍ ଶ୍ରୀମତୀ ସୁନୀତା ତ୍ରିପାଠୀ ଶିଶୁ ଶ୍ରମ ନିବାରଣ, ଶିଶୁ ଅଧିକାର ସୁରକ୍ଷା, ପ୍ରଚଳିତ ଆଇନ ଏବଂ ବିଭିନ୍ନ ଅଂଶୀଦାରଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ। ଆଲୋଚନା କାଳରେ OSCPCR-ର ସଦସ୍ୟାଦ୍ୱୟ ଶିଶୁ ଶ୍ରମିକଙ୍କ ଉଦ୍ଧାର, ପୁନର୍ବାସ, ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା, ସାମୁଦାୟିକ ସହଭାଗିତା ଓ ବ୍ୟାପକ ସଚେତନତା ସୃଷ୍ଟି ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ସମସ୍ତ ବିଭାଗର ସମନ୍ୱିତ ପ୍ରୟାସ ମାଧ୍ୟମରେ ଶିଶୁ ଶ୍ରମମୁକ୍ତ ଦେବଗଡ଼ ଗଠନ ପାଇଁ ସମସ୍ତ ଅଂଶୀଦାର ସଂକଳ୍ପବଦ୍ଧ ହୋଇଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲାସ୍ତରରେ ଶିଶୁ ଅଧିକାର ସୁରକ୍ଷା ଓ ଶିଶୁ ଶ୍ରମ ଉଚ୍ଛେଦ ପ୍ରତି ସଚେତନତା ବୃଦ୍ଧି ସହ ସମନ୍ୱିତ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି।