ବଲାଣିରେ ଶାନ୍ତି, ସମ୍ପ୍ରୀତି ଓ ଭକ୍ତିଭାବରେ ପାଳିତ ହେଲା ମହରମ
Kendujhar (କେନ୍ଦୁଝର)ରିପୋର୍ଟ: ସିଙ୍ଗରାଇ ଚାମ୍ପିଆ, ବଲାଣିJune 27, 202630 views

ବଲାଣି,: କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଖଣି ଅଞ୍ଚଳ ବଲାଣିରେ ଇସଲାମ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ମହରମ ଶନିବାର ଭକ୍ତି, ଶାନ୍ତି ଓ ସମ୍ପ୍ରୀତିର ପରିବେଶରେ ଧୂମଧାମରେ ପାଳନ କରାଯାଇଛି। ଏହି ଅବସରରେ ବଲାଣି ମାର୍କେଟ ଜାମା ମସଜିଦରୁ ଏକ ଭବ୍ୟ ଶୋଭାଯାତ୍ରା ବାହାରି ସମଗ୍ର ଅଞ୍ଚଳରେ ଧାର୍ମିକ ଉତ୍ସାହର ପରିବେଶ ସୃଷ୍ଟି କରିଥିଲା।
ଶୋଭାଯାତ୍ରାଟି ବଲାଣି ମାର୍କେଟ, ମାଉଣ୍ଟ କ୍ଲବ ଛକ, ବିବେକାନନ୍ଦ ଛକ ଓ ବିର୍ସା ମୁଣ୍ଡା ଛକ ଦେଇ ଅଗ୍ରସର ହୋଇ ବଲାଣି କଲୋନୀ ଜାମା ମସଜିଦରେ ପହଞ୍ଚି ସମାପ୍ତ ହୋଇଥିଲା। ଯାତ୍ରା ସମୟରେ ଯୁବକମାନେ ପାରମ୍ପରିକ ଲାଠିଖେଳ, ସମେତ ବିଭିନ୍ନ କ୍ରୀଡ଼ା କୌଶଳ ପ୍ରଦର୍ଶନ କରିଥିଲେ, ଯାହାକୁ ଦେଖିବା ପାଇଁ ରାସ୍ତାକଡ଼ରେ ବହୁ ସଂଖ୍ୟକ ଲୋକଙ୍କ ଭିଡ଼ ଜମିଥିଲା।ଏହି ଶୋଭାଯାତ୍ରାରେ ମୁସଲିମ ସମ୍ପ୍ରଦାୟର ମହିଳା, ପୁରୁଷ ଓ ଶିଶୁମାନେ ବହୁ ସଂଖ୍ୟାରେ ସାମିଲ ହୋଇ ଧାର୍ମିକ ଆସ୍ଥା ଓ ସାମାଜିକ ଏକତାର ବାର୍ତ୍ତା ଦେଇଥିଲେ। ସମଗ୍ର କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ପରିବେଶରେ ସମ୍ପନ୍ନ ହୋଇଥିଲା। ମହରମ ଅବସରରେ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ବଡ଼ବିଲ ଏସଡିପିଓ ଦେବେନ୍ଦ୍ର ନାଥ ଫିଙ୍ଗୁଆଙ୍କ ତତ୍ତ୍ୱାବଧାନରେ ବଲାଣି ଥାନା ଅଧିକାରୀ ଲବ ବୋଡାଙ୍କ ସମେତ ବହୁ ପୁଲିସ କର୍ମଚାରୀ ସମ୍ପୂର୍ଣ୍ଣ ରୁଟ୍ରେ ମୁତୟନ ରହି ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିଥିଲେ। ପୁଲିସର କଡ଼ା ନଜରଦାରି ଓ ସ୍ଥାନୀୟ ଲୋକଙ୍କ ସହଯୋଗ ଯୋଗୁଁ ସମଗ୍ର କାର୍ଯ୍ୟକ୍ରମ କୌଣସି ଅପ୍ରୀତିକର ଘଟଣା ବିନା ସଫଳତାର ସହ ଶେଷ ହୋଇଥିଲା।
