ପେଟ୍ରୋଲ୍ ନା ପାଣି ମିଶା କେମିକାଲ୍ ? ନୂଆଗାଁରେ ପେଟ୍ରୋଲ ପମ୍ପ ବିରୋଧରେ ଆସିଲା ସାଙ୍ଘାତିକ ଅଭିଯୋଗ
Sundargarh (ସୁନ୍ଦରଗଡ଼)ରିପୋର୍ଟ: ଗଣପତି ଦାସ, ନୂଆଗାଁJune 27, 2026139 views

ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବଜାର ନିକଟସ୍ଥ 'ମା ଶକ୍ତି ଭାରତ ପେଟ୍ରୋଲ ପମ୍ପ' ବିରୋଧରେ ପେଟ୍ରୋଲରେ ଭେଜାଲ କିମ୍ବା ନିମ୍ନମାନର ଇନ୍ଧନ ବିକ୍ରି ହେଉଥିବା ନେଇ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ପେଟ୍ରୋଲ ପକାଇବା ପରେ ଅନେକ ଗ୍ରାହକଙ୍କ ଗାଡ଼ି ହଠାତ୍ ଅଧବାଟରେ ବନ୍ଦ ହୋଇଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।
ଅଭିଯୋଗ ଅନୁସାରେ, ବିଗତ ଦୁଇ ଦିନ ମଧ୍ୟରେ ଏହି ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଭରିଥିବା ଅନେକ ଗ୍ରାହକଙ୍କ ଗାଡ଼ି ଷ୍ଟାର୍ଟ ହେଉନଥିଲା କିମ୍ବା କିଛି ଦୂର ଯିବା ପରେ ହଠାତ୍ ବନ୍ଦ ହୋଇଯାଉଥିଲା। ପରେ ମେକାନିକଙ୍କ ଯାଞ୍ଚରେ ପେଟ୍ରୋଲର ଗୁଣବତ୍ତା ନେଇ ସନ୍ଦେହ ପ୍ରକାଶ ପାଇଥିବା ଗ୍ରାହକମାନେ ଦାବି କରିଛନ୍ତି।
ନୂଆଗାଁ ଓ ଆଖପାଖର ଶତାଧିକ ଗାଁର ଲୋକ ଦୈନନ୍ଦିନ ଯାତାୟାତ ପାଇଁ ଏହି ପେଟ୍ରୋଲ ପମ୍ପ ଉପରେ ନିର୍ଭର କରୁଥିବାରୁ ଏହି ଅଭିଯୋଗକୁ ନେଇ ଚିନ୍ତା ବଢ଼ିଛି। ଗ୍ରାହକମାନେ ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଘଟଣାସ୍ଥଳରେ ନୂଆଗାଁ ଫାଣ୍ଡି ପୁଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଏପଟେ ଘଟଣା ସମ୍ବନ୍ଧୀୟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ, ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ମିଳିନାହିଁ।
(ଟିପ୍ପଣୀ: ବର୍ତ୍ତମାନ ସୁଦ୍ଧା ଏହା ଗ୍ରାହକଙ୍କ ଅଭିଯୋଗ ଆଧାରିତ ସୂଚନା। ପ୍ରକୃତ କାରଣ ତଦନ୍ତ ଓ ପରୀକ୍ଷା ରିପୋର୍ଟ ପରେ ସ୍ପଷ୍ଟ ହେବ।)
