ଆସିକା ଚିନିକଳର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ବ୍ରହ୍ମପୁର ସାଂସଦଙ୍କ ଚିଠି
Ganjam (ଗଞ୍ଜାମ)ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ, ଭଞ୍ଜନଗରJune 27, 202664 views

ଓଡ଼ିଶାର ସମବାୟ କ୍ଷେତ୍ରର ସାମଗ୍ରିକ ବିକାଶ ତଥା ଚାଷୀମାନଙ୍କ ଆର୍ଥିକ ପ୍ରଗତି ପାଇଁ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଆସନ୍ତା ମାସ ୪ ତାରିଖରେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ, ରାଜ୍ୟର ୩ଟି ପ୍ରମୁଖ ସମବାୟ ଚିନିକଳର ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି କ୍ରମରେ ନୟାଗଡ଼, ବଡ଼ମ୍ବା ଏବଂ ବଲାଙ୍ଗୀର ସମବାୟ ଚିନିକଳର କାୟାକଳ୍ପ ବଦଳିବାକୁ ଯାଉଛି।
ତେବେ ଏହି ସମୟରେ ଦକ୍ଷିଣ ଓଡ଼ିଶାର ସବୁଠାରୁ ପୁରୁଣା ତଥା ପ୍ରମୁଖ ସମବାୟ ସଂସ୍ଥା ଆସିକା ସମବାୟ ଚିନି ଶିଳ୍ପର ସାମଗ୍ରିକ ବିକାଶକୁ ଏହି ଗସ୍ତ କାର୍ଯ୍ୟକ୍ରମରେ ଅଗ୍ରାଧିକାର ଭିତ୍ତିରେ ସାମିଲ କରିବା ପାଇଁ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହଙ୍କୁ ଏକ ବିଧିବଦ୍ଧ ପତ୍ର ଲେଖି ପ୍ରସ୍ତାବ ଦେଇଛନ୍ତି।
ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଆସିକା ଚିନି କଳ କେବଳ ଏକ ଶିଳ୍ପ ନୁହେଁ, ବରଂ ଏହା ଗଞ୍ଜାମ ସମେତ ସମଗ୍ର ଦକ୍ଷିଣ ଓଡ଼ିଶାର ହଜାର ହଜାର ଆଖୁ ଚାଷୀଙ୍କ ଅର୍ଥନୈତିକ ମେରୁଦଣ୍ଡ। ବର୍ତ୍ତମାନ ଏହାର ଭିତ୍ତିଭୂମି ବହୁ ପୁରୁଣା ହୋଇଯାଇଥିବାରୁ, ବଦଳୁଥିବା ସମୟ ସହିତ ଏହାର ସାମଗ୍ରିକ ନବୀକରଣ ଏବଂ ଆଧୁନିକୀକରଣ ନିତାନ୍ତ ଜରୁରୀ ହୋଇପଡ଼ିଛି।
କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଆସନ୍ତା ୪ ତାରିଖ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଯଦି ଆସିକା ଚିନି କଳର ଆଧୁନିକୀକରଣ ପ୍ରସ୍ତାବକୁ ପ୍ରାଥମିକତା ଦିଆଯାଏ, ତେବେ ଗଞ୍ଜାମ ତଥା ସମଗ୍ର ଦକ୍ଷିଣ ଓଡ଼ିଶାର କୃଷକମାନେ ବ୍ୟାପକ ଭାବେ ଉପକୃତ ହେବେ ଏବଂ ଅଞ୍ଚଳର କୃଷି ଭିତ୍ତିକ ଅର୍ଥନୀତିରେ ଏକ ନୂତନ ଯୁଗର ଆରମ୍ଭ ହେବ ବୋଲି ସାଂସଦ ଆଶାବ୍ୟକ୍ତ କରିଛନ୍ତି।
