ପାଣି ଟୋପେ ପାଇଁ ହାହାକାର: ଗୋଟିଏ ଟ୍ୟାପ୍ ଭରସାରେ ୪୫ ପରିବାର, ଜଳ ସଙ୍କଟରେ ପଞ୍ଚଭୂତି ଗ୍ରାମ
Ganjam (ଗଞ୍ଜାମ)ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ଜଗନ୍ନାଥପ୍ରସାଦJune 27, 202659 views

ଜଗନ୍ନାଥପ୍ରସାଦ: ରାଜ୍ୟ ସରକାର ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ, ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ପଞ୍ଚଭୂତି (ପଞ୍ଚପତି) ଗ୍ରାମରେ ଜଳ ସଙ୍କଟ ଉଦ୍ବେଗଜନକ ସ୍ଥିତି ସୃଷ୍ଟି କରିଛି। ପାନୀୟ ଜଳର ଅଭାବ ଯୋଗୁଁ ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଗ୍ରାମର ପ୍ରାୟ ୪୦ରୁ ୪୫ଟି ପରିବାର ମାତ୍ର ଗୋଟିଏ ପାନୀୟ ଜଳ ଟ୍ୟାପ୍ ଉପରେ ନିର୍ଭରଶୀଳ। ପାଣି ସଂଗ୍ରହ ପାଇଁ ପ୍ରତିଦିନ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଥିବାରୁ ମହିଳା ଓ ବୃଦ୍ଧମାନେ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି।
ଗ୍ରାମରେ ଥିବା ନଳକୂପ ଓ ଜଳ ଯୋଗାଣ ବ୍ୟବସ୍ଥା ଠିକ୍ ଭାବେ କାର୍ଯ୍ୟକ୍ଷମ ନଥିବାରୁ ଘଣ୍ଟା ଘଣ୍ଟା ଅପେକ୍ଷା କରିଲେ ମଧ୍ୟ ପର୍ଯ୍ୟାପ୍ତ ପାଣି ମିଳୁନଥିବା ଅଭିଯୋଗ ହେଉଛି। ସରକାରଙ୍କ ୨୪ ଘଣ୍ଟିଆ ଜଳ ଯୋଗାଣ ଯୋଜନାର ସୁଫଳ ଏହି ଗ୍ରାମରେ ପହଞ୍ଚିନଥିବା ନେଇ ମଧ୍ୟ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
କେବଳ ଲୋକମାନେ ନୁହେଁ, ଗୃହପାଳିତ ପଶୁମାନେ ମଧ୍ୟ ଜଳ ଅଭାବର ସମ୍ମୁଖୀନ ହେଉଥିବାରୁ ସମସ୍ୟା ଆହୁରି ଗମ୍ଭୀର ହୋଇଛି।
ଗ୍ରାମବାସୀମାନେ ଦାବି କରିଛନ୍ତି ଯେ, ପଞ୍ଚଭୂତି ଗ୍ରାମରେ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ କରାଯାଉ ଏବଂ ପ୍ରତ୍ୟେକ ଘରକୁ ନିୟମିତ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଉ। ଏହି ସମସ୍ୟାର ଶୀଘ୍ର ସମାଧାନ ନହେଲେ ଆଗାମୀ ଦିନରେ ଜଳ ସଙ୍କଟ ଆହୁରି ଉଗ୍ର ରୂପ ନେଇପାରେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
