କର୍ପୋରେଟ୍ ନେତୃତ୍ୱ ଉପରେ ଦୁଇ ଦିନିଆ ସେମିନାର, "ସ୍ୱାବଲମ୍ବୀ ଯୁବା–ସମୃଦ୍ଧ ଓଡ଼ିଶା" ଗଠନରେ ଆହ୍ୱାନ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 27, 202691 views

ଅନୁଗୋଳ: ଇନଷ୍ଟିଟ୍ୟୁଟ୍ ଅଫ୍ କଷ୍ଟ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ, ଅନୁଗୋଳ ଚାପ୍ଟର ପକ୍ଷରୁ "ଆର୍ଥିକ ନେତୃତ୍ୱରୁ କର୍ପୋରେଟ୍ ନେତୃତ୍ୱ" ବିଷୟ ଉପରେ ଦୁଇ ଦିନିଆ ସେମିନାର ଆୟୋଜିତ ହୋଇଛି।
ଉଦ୍ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ନାଲକୋର ପୂର୍ବତନ ସିଏମ୍ଡି ଡ଼ଃ ତପନ ଚାନ୍ଦ ଯୋଗଦେଇ କହିଥିଲେ, "ସ୍ୱାବଲମ୍ବୀ ଯୁବା, ସମୃଦ୍ଧ ଓଡ଼ିଶା" ଗଠନ ପାଇଁ ଯୁବପିଢ଼ିଙ୍କୁ ଉଦ୍ୟୋଗୀ ଭାବେ ଗଢ଼ିତୋଳିବା ସହ ଆର୍ଥିକ କ୍ଷେତ୍ରର ବୃତ୍ତିଜୀବୀମାନେ ନେତୃତ୍ୱମୂଳକ ଭୂମିକା ନେବା ଆବଶ୍ୟକ।
ସେ କହିଥିଲେ, ବିକଶିତ ଭାରତ–୨୦୪୭ ଓ ବିକଶିତ ଓଡ଼ିଶା–୨୦୩୬ ଲକ୍ଷ୍ୟ ହାସଲ ପାଇଁ ଉତ୍ପାଦକତା, ପ୍ରଯୁକ୍ତି, ନବସୃଜନ, ପୁଞ୍ଜି ବିନିଯୋଗ ଓ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେବା ଦରକାର।
କାର୍ଯ୍ୟକ୍ରମରେ ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାନବ ସମ୍ବଳ) ଆଶୁତୋଷ ନାଥ ମଧ୍ୟ ଯୋଗଦେଇ ସଂଗଠନର ବିକାଶରେ ଆର୍ଥିକ ବୃତ୍ତିଜୀବୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।
ଦୁଇ ଦିନିଆ ଏହି ସେମିନାରରେ ଚାରିଟି ବୈଷୟିକ ଅଧିବେଶନ ସହ ବିଶେଷଜ୍ଞଙ୍କ ଆଲୋଚନା, ମତ ବିନିମୟ ଓ ନେଟୱର୍କିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅନୁଗୋଳ ଚାପ୍ଟରର ଅଧ୍ୟକ୍ଷ ସିଏମ୍ଏ ଆଲୋକ ତ୍ରିପାଠୀଙ୍କ ନେତୃତ୍ୱରେ ଆୟୋଜିତ ଏହି ସେମିନାରରେ ବହୁ ସଂଖ୍ୟକ ଆର୍ଥିକ ବୃତ୍ତିଜୀବୀ, ଶିଳ୍ପପତି ଓ ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ।
