--:--:--
-- ---
Srishti News

ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ସାମ୍ବାଦିକ ସମ୍ମିଳନୀ, ତୀବ୍ର ହେବ 'ମିଶନ ସ୍ୱାଭିମାନ' ଆନ୍ଦୋଳନ... ୧ ଜୁଲାଇରୁ ସାମୂହିକ ଛୁଟି ଚେତାବନୀ

Cuttack (କଟକ)ରିପୋର୍ଟ: ସୁରେନ୍ଦ୍ର ଜେନା, ଜଗତପୁରJune 27, 2026145 views
ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ସାମ୍ବାଦିକ ସମ୍ମିଳନୀ, ତୀବ୍ର ହେବ 'ମିଶନ ସ୍ୱାଭିମାନ' ଆନ୍ଦୋଳନ... ୧ ଜୁଲାଇରୁ ସାମୂହିକ ଛୁଟି ଚେତାବନୀ
ଜଗତପୁର: ରାଜ୍ୟର ରାଜସ୍ୱ କ୍ଷେତ୍ର ଅଧିକାରୀ (RI, ARI, RS)ଙ୍କ ବିଭିନ୍ନ ସମସ୍ୟା ଓ ଦାବିକୁ ନେଇ 'ମିଶନ ସ୍ୱାଭିମାନ' ବ୍ୟାନରରେ ଆନ୍ଦୋଳନ ଜୋରଦାର ହୋଇଛି। ଜଗତପୁରସ୍ଥିତ ହୋଟେଲ୍ ଦେବ ପ୍ୟାଲେସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘର ୩୦ଟି ଜିଲ୍ଲାର କାର୍ଯ୍ୟନିର୍ବାହୀ ସଦସ୍ୟମାନେ ଉପସ୍ଥିତ ରହି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟରେ ଅନୁମୋଦିତ ୯,୯୧୦ଟି ପଦବୀ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ପଦ ଖାଲି ଥିବାରୁ କାର୍ଯ୍ୟରତ କର୍ମଚାରୀଙ୍କ ଉପରେ ଅତ୍ୟଧିକ କାର୍ଯ୍ୟଭାର ପଡ଼ୁଛି। ୪୭ ପ୍ରତିଶତ RI ଅଫିସରେ ମାତ୍ର ଜଣେ ଅଧିକାରୀ ସମସ୍ତ କାମ ସମ୍ଭାଳୁଥିବା ବେଳେ ଅଧିକାଂଶ କାର୍ଯ୍ୟାଳୟରେ ବିଦ୍ୟୁତ୍ ସଂଯୋଗ ଓ ସ୍ଥାୟୀ ଇଣ୍ଟରନେଟ୍ ସୁବିଧା ନାହିଁ। ଗ୍ରୁପ୍-ଡି କର୍ମଚାରୀଙ୍କ ପଦବୀ ଦୀର୍ଘ ୨୦ ବର୍ଷ ଧରି ଖାଲି ରହିଥିବାରୁ ଅଧିକାରୀମାନେ ସହାୟକ କର୍ମଚାରୀ ବିନା କାମ କରିବାକୁ ବାଧ୍ୟ ହେଉଛନ୍ତି। ବିଭାଗୀୟ ନିର୍ଦ୍ଦେଶ ଥିବା ସତ୍ତ୍ୱେ ରାଜସ୍ୱ କର୍ମଚାରୀଙ୍କୁ ଅଣ-ରାଜସ୍ୱ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ସଂଘ ଅଭିଯୋଗ କରିଛି । 'ଆମ ଗାଁ ଆମ ତହସିଲ' ଭଳି ଯୋଜନା ପାଇଁ ଆବଶ୍ୟକ ଅର୍ଥ ବରାଦ ନ ହେବାରୁ ଅଧିକାରୀମାନେ ନିଜ ପକେଟରୁ ଖର୍ଚ୍ଚ କରୁଥିବା ଦାବି କରାଯାଇଛି। ଏନେଇ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଗତ ୨୨ ତାରିଖ ଠାରୁ ରାଜ୍ୟର ୩୧୭ଟି ତହସିଲରେ ସମସ୍ତ ରାଜସ୍ୱ ଅଧିକାରୀମାନେ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କରୁଥିବା ବେଳେ ୨୫ ତାରିଖ ଠାରୁ ୫,୩୦୦ରୁ ଅଧିକ ସଦସ୍ୟ ଅଫିସିଆଲ୍ ୱାଟସ୍‌ଆପ୍ ଗ୍ରୁପ୍ ରୁ ଅପସରି ଯାଇଛନ୍ତି। ଚଳିତ ମାସ ସୁଧା ଦାବି ପୂରଣ ନ ହେଲେ ଆସନ୍ତା ୧ ତାରିଖ ଠାରୁ ସାମୂହିକ ଛୁଟିରେ ଯିବାକୁ ସଂଘ ଚେତାବନୀ ଦେଇଛି। ସଂଘ ସରକାରଙ୍କ ନିକଟରେ ଶୂନ୍ୟ ପଦବୀ ପୂରଣ, କ୍ୟାଡର ପୁନର୍ଗଠନ, ପ୍ରତ୍ୟେକ RI ଅଫିସକୁ ଇଣ୍ଟରନେଟ୍, ଲ୍ୟାପଟପ୍, ପ୍ରିଣ୍ଟର ଓ କଣ୍ଟିଜେନ୍ସି ଗ୍ରାଣ୍ଟ ଯୋଗାଣ, FTA ଓ ମୋବାଇଲ୍ ଆଲାଉଆନ୍ସ ବୃଦ୍ଧି ସହ ସରକାରୀ ଛୁଟି ଦିନରେ ବାଧ୍ୟତାମୂଳକ କାର୍ଯ୍ୟ ବନ୍ଦ କରିବା ଦାବି କରିଛି। ଜନସାଧାରଣଙ୍କ ସ୍ୱାର୍ଥରେ ତୁରନ୍ତ ସମାଧାନ ପାଇଁ ମଧ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି। ଏହି ସମ୍ମିଳନୀରେ ରାଜ୍ୟ ସଭାପତି ସୂଚନ୍ଦ୍ର ମହାନ୍ତି, ରଜ୍ୟ ସାଧାରଣ ସଂପାଦକ ମହମ୍ମଦ ଜାଭେଦ ଆକ୍ତର, ଉପ ସଭାପତି କେନ୍ଦ୍ରାଞ୍ଚଳ ଜ୍ୟୋତିରଞ୍ଜନ ପଣ୍ଡା, ଉପ ସଭାପତି ଦକ୍ଷିଣାଞ୍ଚଳ ଆର ପ୍ରଭାକର ରାଓ, ଯୁଗ୍ମ ସମ୍ପାଦକ ସୁଭଜିତ୍ ମଢୁଆଳ, ଉପଦେଷ୍ଟା ରାମ ଚନ୍ଦ୍ର ପାତ୍ର, ସମୀକ୍ଷକ ଜି ରଶ୍ମୀତା, କଟକ ଜିଲ୍ଳା ସଭାପତି ସଞ୍ଜୟ କୁମାର୍ ବେହେରା ଓ କଟକ ଜିଲ୍ଳା ସଂପାଦକ ଅରୁଣ କୁମାର ବିଶ୍ବାଳଙ୍କ ସମେତ ସମସ୍ତ ରାଜସ୍ୱ କ୍ଷେତ୍ର ଅଧିକାରୀମାନେ ଉପସ୍ଥିତ ରହିଥିଲେ |