ଦିଗପହଣ୍ଡିରେ ଭୟଙ୍କର ସଡ଼କ ଦୁର୍ଘଟଣା: ସ୍କୁଟି ଓ ପଲସର ମୁହାଁମୁହିଁ ଧକ୍କା, ଦୁଇ ମୃତ, ଜଣେ ଗୁରୁତର
Ganjam (ଗଞ୍ଜାମ)ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ, ଦିଗପହଣ୍ଡି, ଭଞ୍ଜନଗରJune 26, 202644 views

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଆଙ୍କୋରଡ଼ା ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ସ୍କୁଟି ଓ ପଲସର ମୋଟର ସାଇକେଲ ମଧ୍ୟରେ ସାମ୍ନାସାମ୍ନି ଭୟଙ୍କର ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।
ମୃତକ ଦୁଇ ଜଣ ହେଲେ ପାଟପୁର ଗ୍ରାମର କାଳିଆ ସ୍ୱାଇଁ ଏବଂ ଲକ୍ଷ୍ମୀପୁର ଗ୍ରାମର ଭୋଳା ସେଠୀ।
ସୂଚନା ଅନୁଯାୟୀ, ଆଙ୍କୋରଡ଼ା ଛକ ନିକଟରେ ଦୁଇଟି ଯାକ ଦୁଇଚକିଆ ଯାନ ମଧ୍ୟରେ ଏତେ ଜୋରରେ ଧକ୍କା ହୋଇଥିଲା ଯେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଓ ପୋଲିସ ସହାୟତାରେ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଚିକିତ୍ସା ପାଇଁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ମେଡିକାଲ) ରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି।
ଅପରପକ୍ଷରେ, ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଦିଗପହଣ୍ଡି ଥାନା ପୋଲିସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦ୍ୱୟକୁ ଜବତ କରି ଏହି ଦୁର୍ଘଟଣା କେଉଁ ପରିସ୍ଥିତିରେ ଏବଂ କିଭଳି ଘଟିଲା, ସେ ନେଇ ଅଧିକ ପଚରା ଉଚରା ଓ ଅନୁସନ୍ଧାନ ଚଳାଇଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
