ଭବାନୀପାଟଣାରେ ‘ନଶା ମୁକ୍ତ ଭାରତ’ ସଚେତନତା ରାଲି, ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ସହଭାଗୀତା
Kalahandi (କଳାହାଣ୍ଡି)ରିପୋର୍ଟ: ରିତେଶ କୁମାର ମୁଣ୍ଡ, ଭବାନୀପାଟଣାJune 23, 202630 views

ରିପୋର୍ଟ: ରିତେଶ କୁମାର ମୁଣ୍ଡ, ଭବାନୀପାଟଣା
ଭବାନୀପାଟଣା, ୨୩ ଜୁନ:
ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ଚାଲିଥିବା ‘ନଶା ମୁକ୍ତ ଭାରତ ଅଭିଯାନ–୨୦୨୬’ ଅବସରରେ ମଙ୍ଗଳବାର ଭବାନୀପାଟଣା ସହରରେ ଏକ ବିଶାଳ ସଚେତନତା ରାଲି ଆୟୋଜିତ ହୋଇଯାଇଛି। ମାଦକ ଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ରାଲି ଅନୁଷ୍ଠିତ ହୋଇଥିଲା।
ଚଳିତ ବର୍ଷ ଏହି ଅଭିଯାନ ଜୁନ ୧୭ ତାରିଖରୁ ଆରମ୍ଭ ହୋଇ ଜୁନ ୨୬ ତାରିଖରେ ପାଳିତ ହେବାକୁ ଥିବା ‘ଆନ୍ତର୍ଜାତୀୟ ମାଦକ ଦ୍ରବ୍ୟ ଦୁର୍ବ୍ୟସନ ଓ ଅବୈଧ ଚାଲାଣ ବିରୋଧୀ ଦିବସ’ ସହ ସମାପ୍ତ ହେବ। ଏହି ବର୍ଷର ଥିମ୍ ରହିଛି— “ନଶା ମୁକ୍ତ ଭାରତ ଅଭିଯାନ, ବିକସିତ ଭାରତ କି ପହେଚାନ”।
ଆଜିର ସଚେତନତା ରାଲିକୁ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଓ ଏକ୍ସାଇଜ୍ ସୁପରିଣ୍ଟେଣ୍ଡେଣ୍ଟ ରଞ୍ଜନ ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ରାଲିରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇ ମାଦକ ବିରୋଧୀ ସ୍ଲୋଗାନ ଦେବା ସହ ଜନସାଧାରଣଙ୍କ ମଧ୍ୟରେ ସଚେତନତାର ସନ୍ଦେଶ ପ୍ରଚାର କରିଥିଲେ।
ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଦିନେଶ କୁମାର କନ୍ହରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ୟକ୍ରମରେ ସମାଜ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ। କାର୍ୟକ୍ରମର ସଫଳ ଆୟୋଜନରେ DSSO ଓ DDRC ର କର୍ମଚାରୀମାନଙ୍କ ଭୂମିକା ଉଲ୍ଲେଖନୀୟ ଥିଲା।

