--:--:--
-- ---
Srishti News

ଦୟା ପଶ୍ଚିମ କେନାଲ ସମ୍ପ୍ରସାରଣ ପୂର୍ବରୁ ପୁନର୍ବାସ ଦାବି, ନଗର ଉନ୍ନୟନ ମନ୍ତ୍ରୀଙ୍କୁ ୬ ଦଫା ସ୍ମାରକପତ୍ର

Bhubaneswar (ଭୁବନେଶ୍ୱର)ରିପୋର୍ଟ: ସୁଶାନ୍ତ ମହାକୁଡ଼, ଭୁବନେଶ୍ୱରJune 23, 202638 views
ଦୟା ପଶ୍ଚିମ କେନାଲ ସମ୍ପ୍ରସାରଣ ପୂର୍ବରୁ ପୁନର୍ବାସ ଦାବି, ନଗର ଉନ୍ନୟନ ମନ୍ତ୍ରୀଙ୍କୁ ୬ ଦଫା ସ୍ମାରକପତ୍ର
ଦୟା ପଶ୍ଚିମ କେନାଲ ସମ୍ପ୍ରସାରଣ ପୂର୍ବରୁ ପୁନର୍ବାସ ଦାବି, ନଗର ଉନ୍ନୟନ ମନ୍ତ୍ରୀଙ୍କୁ ୬ ଦଫା ସ୍ମାରକପତ୍ର ରିପୋର୍ଟ: ସୁଶାନ୍ତ ମହାକୁଡ଼, ଭୁବନେଶ୍ୱର ଭୁବନେଶ୍ୱର: ଦୟା ପଶ୍ଚିମ କେନାଲ ସମ୍ପ୍ରସାରଣ ପ୍ରକଳ୍ପ ଅଧୀନରେ ପ୍ରସ୍ତାବିତ ବସ୍ତି ଉଚ୍ଛେଦ ପୂର୍ବରୁ ଯୋଗ୍ୟ ବସ୍ତି ବାସିନ୍ଦାଙ୍କୁ ଆଇନସମ୍ମତ ଥଇଥାନ, ପୁନର୍ବାସ ଓ ପୁନଃସ୍ଥାପନ ସୁବିଧା ଯୋଗାଇ ଦେବା ଦାବିରେ ମଞ୍ଚେଶ୍ୱର ଜୋନାଲ କମିଟି ଅଧୀନ ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ୬ ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ପଳାଶୁଣି ମୁଣ୍ଡା ବସ୍ତି, ଓସିସି ବସ୍ତି, ଆଖଣ୍ଡଳମଣି ବସ୍ତି, ପାଟଦେବୀ ବସ୍ତି, ମା’ ଭଗବତୀ ବସ୍ତି ଏବଂ ହାଡବାଇ ବସ୍ତିର ବାସିନ୍ଦାମାନେ ସ୍ମାରକପତ୍ର ମାଧ୍ୟମରେ ଜଣାଇଛନ୍ତି ଯେ, କେନାଲ ସମ୍ପ୍ରସାରଣ ନାମରେ ସେମାନଙ୍କ ବାସଗୃହ ଉଚ୍ଛେଦ ହେବାର ଆଶଙ୍କା ରହିଛି। ଏହି ବସ୍ତିଗୁଡ଼ିକର ଅଧିକାଂଶ ପରିବାର ଭୂମିହୀନ, ଦରିଦ୍ର ଏବଂ ସାମାଜିକ ଭାବେ ଦୁର୍ବଳ ବର୍ଗର ଅନ୍ତର୍ଗତ ହୋଇଥିବା ବେଳେ ସେମାନେ ବହୁ ବର୍ଷ ଧରି ଏହି ଅଞ୍ଚଳରେ ବସବାସ କରି ଆସୁଛନ୍ତି। ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୪, ୧୯(୧)(ଇ) ଓ ୨୧ ଅନୁଯାୟୀ ନାଗରିକଙ୍କ ସମାନତା, ବାସସ୍ଥାନ ଏବଂ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ବିତାଇବାର ଅଧିକାର ସୁରକ୍ଷିତ। ସେହିପରି ସର୍ବୋଚ୍ଚ ନ୍ୟାୟାଳୟଙ୍କ ‘ଓଲ୍ଗା ଟେଲିସ ବନାମ ବମ୍ବେ ମ୍ୟୁନିସିପାଲ କର୍ପୋରେସନ’, ‘ସୁଦାମା ସିଂହ ବନାମ ଦିଲ୍ଲୀ ସରକାର’ ଏବଂ ‘ଅଜୟ ମାକେନ ବନାମ ଭାରତ ସରକାର’ ମାମଲାରେ ଉଚ୍ଛେଦ ପୂର୍ବରୁ ସର୍ଭେ, ଶୁଣାଣି ଓ ପୁନର୍ବାସ ସୁନିଶ୍ଚିତ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ବସ୍ତିବାସିନ୍ଦା ମାନେ ୬ ଦଫା ଦାବିରେ ସମସ୍ତ ପରିବାରର ସର୍ଭେ, ଲିଖିତ ପୁନର୍ବାସ ନିଶ୍ଚିତତା, ପୁନର୍ବାସ ସ୍ଥାନରେ ମୌଳିକ ସୁବିଧା, ପୁନର୍ବାସ ପୂର୍ବରୁ ଘର ନ ଭାଙ୍ଗିବା, ପୂର୍ବ ସୂଚନା ଓ ଶୁଣାଣି ବ୍ୟବସ୍ଥା, ଏବଂ ପ୍ରଭାବିତ ପରିବାରଙ୍କ ସହ ଆଲୋଚନା ମାଧ୍ୟମରେ ସ୍ୱଚ୍ଛ ଓ ନ୍ୟାୟସଙ୍ଗତ ପ୍ରକ୍ରିୟା ଅବଲମ୍ବନ କରିବାକୁ ଦାବି କରିଛନ୍ତି। ବସ୍ତି ସୁରକ୍ଷା ମଞ୍ଚର ସଭାପତି କମ୍ରେଡ ହେନା କହିଛନ୍ତି ଯେ, ପୁନର୍ବାସ ଓ ଥଇଥାନର ବିକଳ୍ପ ବ୍ୟବସ୍ଥା ବିନା କୌଣସି ଉଚ୍ଛେଦ କାର୍ଯ୍ୟ ଗ୍ରହଣ କରାଯିବା ଉଚିତ ନୁହେଁ। ମଞ୍ଚେଶ୍ୱର ଜୋନାଲ କମିଟିର ସଭାପତି ସରୋଜ ଦାସଙ୍କ ନେତୃତ୍ୱରେ ଶତାଧିକ ବସ୍ତିବାସିନ୍ଦା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରତିନିଧିମଣ୍ଡଳୀଙ୍କ ସହ ନଗର ଉନ୍ନୟନ ମନ୍ତ୍ରୀ ଆଲୋଚନା କରିଥିବା ସୂଚନା ମିଳିଛି। ବସ୍ତି ବାସିନ୍ଦାଙ୍କ ନ୍ୟାୟସଙ୍ଗତ ଦାବି ଉପରେ ସରକାର ସକାରାତ୍ମକ ପଦକ୍ଷେପ ନେବେ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି।