--:--:--
-- ---
Srishti News

କେଉଁ ଅଧିକାର ବଳରେ ଭଙ୍ଗାଗଲା DIETର ଐତିହ୍ୟ ସମ୍ପଦ?

Ganjam (ଗଞ୍ଜାମ)ରିପୋର୍ଟ: ଶିବରାମ ଜେନା, ଖଲ୍ଲିକୋଟJune 22, 2026108 views
କେଉଁ ଅଧିକାର ବଳରେ ଭଙ୍ଗାଗଲା DIETର ଐତିହ୍ୟ ସମ୍ପଦ?
କେଉଁ ଅଧିକାର ବଳରେ ଭଙ୍ଗାଗଲା DIETର ଐତିହ୍ୟ ସମ୍ପଦ? ରିପୋର୍ଟ: ଶିବରାମ ଜେନା, ଖଲ୍ଲିକୋଟ ଖଲ୍ଲିକୋଟ: ଓଡ଼ିଶାର ପ୍ରାଚୀନ ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଖଲ୍ଲିକୋଟ ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (DIET) ପରିସରରେ ଥିବା ଐତିହାସିକ ରାଜ ଉଆସ ଓ ସମ୍ପର୍କିତ ଐତିହ୍ୟ ସମ୍ପଦ ଭଙ୍ଗାଯାଇଥିବା ଅଭିଯୋଗ ଉଠିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଓ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁଯାୟୀ, ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗ ରେ DIET ଖଲ୍ଲିକୋଟ ପରିସରରେ ଉତ୍କର୍ଷ କେନ୍ଦ୍ର ନିର୍ମାଣ ପାଇଁ ଗତ ୨୯ ଏପ୍ରିଲ ୨୦୨୬ରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ ଉପସ୍ଥିତ ଥିଲେ। ତେବେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଉଛି, ନୂତନ ପ୍ରକଳ୍ପ ନିର୍ମାଣ ନାମରେ ରାଜପରିବାର ସହ ଜଡ଼ିତ କେତେକ ପୁରାତନ ସଂରଚନା, ମଣ୍ଡପ, ମନ୍ଦିର ଏବଂ ଐତିହାସିକ ଅଟ୍ଟାଳିକା ଭଙ୍ଗା ଯାଇଛି। ଏଥିସହିତ ପରିସରରେ ଥିବା କେତେକ ପୁରୁଣା ଆମ୍ବଗଛ ମଧ୍ୟ କାଟି ଦିଆଯାଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବାସିନ୍ଦାଙ୍କ ପ୍ରଶ୍ନ ହେଉଛି, ଭଙ୍ଗାଯାଇଥିବା ଐତିହ୍ୟ ସମ୍ପଦର ଅବଶେଷ, କାରୁକାର୍ଯ୍ୟ ଖଚିତ ପଥର, ମୂର୍ତ୍ତି ଓ ଅନ୍ୟାନ୍ୟ ସାମଗ୍ରୀ କେଉଁଠାକୁ ଗଲା ଏବଂ ଏହାର ହିସାବ କିଏ ଦେବ। ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ସ୍ଥାନୀୟ ଲୋକେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ତଦନ୍ତ ହେଲେ ସମ୍ପୂର୍ଣ୍ଣ ଘଟଣାର ପର୍ଦ୍ଦାଫାସ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି। ଅନ୍ୟପଟେ, ସୂତ୍ରରୁ ପ୍ରକାଶ ଯେ ୧୯୫୬ ମସିହାରେ ଖଲ୍ଲିକୋଟ ରାଜପରିବାର ପକ୍ଷରୁ ଏହି ପ୍ରାସାଦ ପରିସର ସରକାରଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ଜମିର ମାଲିକାନା, ହସ୍ତାନ୍ତର ପ୍ରକ୍ରିୟା ଏବଂ ଐତିହ୍ୟ ସଂରକ୍ଷଣ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ଏବେ ଜନମନରେ ଉଠିଛି। ଐତିହ୍ୟ ସମ୍ପଦ ଭଙ୍ଗାଯାଇଥିବା ଅଭିଯୋଗ କେତେଦୂର ସତ୍ୟ ଓ ଏଥିରେ କାହାର ଭୂମିକା ରହିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ତେବେ ଏହି ଘଟଣା ଖଲ୍ଲିକୋଟ ଅଞ୍ଚଳରେ ଐତିହ୍ୟ ସୁରକ୍ଷାକୁ ନେଇ ଏକ ବଡ଼ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି। ସୃଷ୍ଟି ନ୍ୟୁଜ୍ ପାଇଁ ଶିବରାମ ଜେନାଙ୍କ ରିପୋର୍ଟ।