ବଅଁରପାଳ ବ୍ଲକରେ ‘ବିକାଶଧାରା’ ସମାରୋହ : ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ଲାଭ ବଣ୍ଟନ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 22, 202682 views

ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା
ଅନୁଗୋଳ : ବଅଁରପାଳ ବ୍ଲକ ପରିସରରେ ଆଜି ବ୍ଲକ ସ୍ତରୀୟ ‘ବିକାଶଧାରା’ ସମାରୋହ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଛେଣ୍ଡିପଦାର ମାନ୍ୟବର ବିଧାୟକ ଅଗସ୍ତି ବେହେରାଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧିମାନେ ଉପସ୍ଥିତ ରହିଥିଲେ।
ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ଓ ସୁବିଧା ବଣ୍ଟନ କରାଯାଇଥିଲା। AGJ କାର୍ଯ୍ୟକ୍ରମରେ ୩୮ ଜଣ, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା କାର୍ଡ ୩୪ ଜଣଙ୍କୁ, ମଧୁବାବୁ ପେନସନ ଯୋଜନା ଅଧୀନରେ ୧୬ ଜଣଙ୍କୁ ପେନସନ, ଏବଂ ଆୟୁଷ୍ମାନ ବୟୋ ବନ୍ଦନା କାର୍ଡ ୧୪ ଜଣଙ୍କୁ ପ୍ରଦାନ କରାଯାଇଥିଲା।
ସେହିପରି ୧୫ ଜଣ ଅଙ୍ଗନୱାଡି କର୍ମୀଙ୍କୁ ମୋବାଇଲ ଫୋନ୍ ବଣ୍ଟନ କରାଯାଇଥିବା ବେଳେ, ୧୨ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ CIF ମାଧ୍ୟମରେ ୧୮ ଲକ୍ଷ ଟଙ୍କା ଋଣ ଏବଂ ଅନ୍ୟ ୧୨ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୧.୧୫ କୋଟି ଟଙ୍କା ବ୍ୟାଙ୍କ ଋଣ ପ୍ରଦାନ କରାଯାଇଥିଲା। ଏଥିସହ ୧୪ଟି ବିଦ୍ୟାଳୟକୁ ଜମି ପଟ୍ଟା ବଣ୍ଟନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଅତିଥିମାନେ ସରକାରଙ୍କ ଜନହିତକର ଯୋଜନାଗୁଡ଼ିକର ସୁଫଳ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ବିକାଶଧାରା ସମାରୋହ ମାଧ୍ୟମରେ ବିଭିନ୍ନ ଯୋଜନାର ଲାଭ ସିଧାସଳଖ ଭାବେ ହିତାଧିକାରୀଙ୍କୁ ପ୍ରଦାନ କରାଯିବାରୁ ସେମାନେ ଖୁସି ବ୍ୟକ୍ତ କରିଥିଲେ।
