ଏଥର ୧୦ ଲକ୍ଷରେ ମହାବଳ ବାଘ ଛାଲ ଡିଲ, ଜଣକୁ ମାଡ଼ି ବସିଲା ବନ ବିଭାଗ, ୨ ଫେରାର
Nabarangpur (ନବରଙ୍ଗପୁର)ରିପୋର୍ଟ: ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁରJune 22, 202616 views

ରିପୋର୍ଟ: ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର
ଡାବୁଗାଁ,ନବରଙ୍ଗପୁର: ଏଥର କଲରାପତରିଆ ନୁହେଁ, ମହାବଳ ବାଘ ଛାଲ କାରବାର ପଦାକୁ ଆସିଛି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ପାତ୍ରି ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ଛାଲ ବିକ୍ରି ପାଇଁ ମୂଲଚାଲ ବେଳେ ଚଢ଼ଉ କରି ଡାବୁଗାଁ ଥାନା ଖଲିଗୁଡ଼ା ଗ୍ରାମର ଶିବୁନ ବୁନ ଟାକ୍ରିକୁ କାବୁ କରିଛି ବନ ବିଭାଗ ମହାବଳ ବାଘ ଛାଲ ବିକ୍ରି ପାଇଁ ୧୦ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା | ଡିଲ୍ରେ ସମ୍ପୃକ୍ତ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି। ଗିରଫ ଶିବୁନକୁ ବନବିଭାଗ ଅଟକ ରଖି ପଚରାଉଚରା କରୁଛି। ରବିବାର କୋର୍ଟଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ନବରଙ୍ଗପୁର ଡିଏଫ୍ଓ ଉଦୟନ ସୁବୁଦ୍ଧି।
ବହୁ ଦିନ ହେବ ମହାବଳ ବାଘ ଛାଲ ବିକ୍ରି ପାଇଁ ଗ୍ରାହକ ସନ୍ଧାନରେ ଥିଲା ଶିବୁନା କାହା ସହିତ ଯୋଗାଯୋଗ ହୋଇପାରୁ ନଥିବାରୁ ବାଘ ଛାଲକୁ କପଡ଼ା ଗୁଡ଼ାଇ ସିଲେଇ କରି ବ୍ୟାଟ୍ରେ ଭର୍ତ୍ତି କରି ରଖିଥିଲା। ଗ୍ରାହକ ଜୁଟିବା ପରେ ଶନିବାର ବିକ୍ରି କରିବା ପାଇଁ ପାତ୍ରି ଜଙ୍ଗଲରେ ଚାଲିଥିଲା ଡିଲ୍ ବିଶ୍ୱସ୍ତ ସୂତ୍ରରୁ ସୂଚନାପାଇ ବନ କର୍ମଚାରୀ ଡିଏଫ୍ଓଙ୍କୁ ଖବର ଦେଇଥିଲେ । ଡିଏଫ୍ଓଙ୍କ ନିର୍ଦ୍ଦେଶରେ ଏସିଏଫ୍ ସୁବାସ ଚନ୍ଦ୍ର ଖୁଣ୍ଟିଆ, ଡାବୁଗାଁ ରେଞ୍ଜର ରାମଚନ୍ଦ୍ର ଭତ୍ରା, କୋଡ଼ିଙ୍ଗା ରେଞ୍ଜର ପୂର୍ଣ୍ଣଚନ୍ଦ୍ର ନନ୍ଦ ଓ ଷ୍ଟ୍ରାଇକିଂ ଫୋର୍ସ ଟିମ୍ ଚଢ଼ଉ କରିଥିଲେ l ବନବିଭାଗ ଟିମ୍କୁ ଦେଖି ବାଘଛାଲ କିଣିବାକୁ ଆସିଥିବା ଦୁଇ ଗ୍ରାହକ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲେ । ବନବିଭାଗ ଟିମ୍ ଶିବୁନକୁ ଗିରଫ କରିବା ସହିତ ବାଇକ୍ ଓ ବ୍ୟାଗ୍ ଜବତ କରିଛି| ଜବତ ବାଘଛାଲକୁ ଅଭିଯୁକ୍ତ ଶିବୁନ କେଉଁଠୁ ଆଣିଥିଲା ନା ଶିକାର କରିଥିଲା, ସେ ନେଇ ଖୋଳତାଡ଼ ଚାଲିଛି।
