ଛାତ ଉଡ଼ିଗଲା, ବାରଣ୍ଡାରେ ପାଠପଢ଼ା : କୁଇମୁଣ୍ଡା ସ୍କୁଲର ଦୁର୍ଦ୍ଦଶା ନେଇ ଉଦବେଗ, ଦୁଇ ମାସ ହେଲା ସମାଧାନ ନାହିଁ, ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ
Nuapada (ନୂଆପଡ଼ା)ରିପୋର୍ଟର: କଶ୍ୟପ ଜଗତ, ବୋଡେ଼ନJune 20, 202656 views

ବୋଡେ଼ନ: ୨୦/୦୬
ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଭଇଁସାଦାନୀ ଗ୍ରାମପଞ୍ଚାୟତର ଉପାନ୍ତ ଅଞ୍ଚଳ କୁଇମୁଣ୍ଡା ଉନ୍ନୀତ ସରକାରୀ ବିଦ୍ୟାଳୟର ଅବସ୍ଥା ବର୍ତ୍ତମାନ ଅତ୍ୟନ୍ତ ସୋଚନୀୟ ହୋଇପଡ଼ିଛି । ବିଦ୍ୟାଳୟ କୋଠରୀର ଛାତ ନଥିବାରୁ ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପାଠପଢ଼ା କରିବାକୁ ବାଧ୍ୟ ହେଉଥିବା ବେଳେ, ଏହାକୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି ।
ସୂଚନା ଅନୁଯାୟୀ, ପ୍ରାୟ ଦୁଇ ମାସ ତଳେ ହୋଇଥିବା କାଳବୈଶାଖୀ ଝଡ଼ରେ ବିଦ୍ୟାଳୟର ଆଜବେଷ୍ଟର ଛାତ ସମ୍ପୂର୍ଣ୍ଣ ଭାବେ ଉଡ଼ିଯାଇଥିଲା । ଏହା ପରେ ଗ୍ରାମବାସୀମାନେ ବୋଡେ଼ନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ତେବେ ଅଭିଯୋଗର ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିନଥିବା ଅଭିଯୋଗ ହେଉଛି ।
ଏପରି ପରିସ୍ଥିତିରେ ବର୍ଷା ଋତୁ ଆରମ୍ଭ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଖୋଲା ବାରଣ୍ଡାରେ କ୍ଲାସ ଚାଲୁଥିବାରୁ ଖରା, ବର୍ଷା ଓ ପବନ ମଧ୍ୟରେ ଶିକ୍ଷାଦାନ ପ୍ରକ୍ରିୟା ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି । ଏହାର ପ୍ରଭାବ ସିଧାସଳଖ ଭାବେ ଶିକ୍ଷାର୍ଥୀଙ୍କ ପାଠପଢ଼ା ଉପରେ ପଡ଼ୁଥିବା ଅଭିଭାବକମାନେ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ସରକାର ବିଦ୍ୟାଳୟ ଖୋଲିବା ପୂର୍ବରୁ ସ୍କୁଲ ଭିତ୍ତିଭୂମି, ଶୌଚାଳୟ, ରୋଷେଇ ଘର, ପାନୀୟ ଜଳ ବ୍ୟବସ୍ଥା ଓ ଶିକ୍ଷାନୁକୂଳ ପରିବେଶ ସୁନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ କୁଇମୁଣ୍ଡା ବିଦ୍ୟାଳୟରେ ଏହାର ସମ୍ପୂର୍ଣ୍ଣ ବିପରୀତ ଚିତ୍ର ଦେଖିବାକୁ ମିଳୁଛି ।
ସ୍କୁଲର ଜରୁରୀ ମରାମତି କାର୍ଯ୍ୟ ଶୀଘ୍ର ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ପାଇଁ ସୁରକ୍ଷିତ ଶିକ୍ଷା ପରିବେଶ ସୃଷ୍ଟି କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ଯଦି ଖୁବଶୀଘ୍ର ସମସ୍ୟାର ସମାଧାନ ନ ହୁଏ, ତେବେ ବୋଡେ଼ନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଗଣଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।

