ସରକାରଙ୍କ ଦାବି ଫସରଫାଟ୍: ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା, ବର୍ଷାରେ ଭିଜୁଛି ହଜାର ହଜାର କ୍ୱିଣ୍ଟାଲ ଧାନ
Kalahandi (କଳାହାଣ୍ଡି)ରିପୋର୍ଟ : ରିତେଶ କୁମାର ମୁଣ୍ଡ, ଜୟପାଟଣାJune 19, 202658 views

କଳାହାଣ୍ଡି-ଜୟପାଟଣା: ସରକାର ଚାଷୀଙ୍କ କଲ୍ୟାଣ ପାଇଁ ଅନେକ ବ୍ୟବସ୍ଥା କରୁଥିବା ଡିଣ୍ଡିମ ପିଟୁଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଓଲଟା। ମୁଖିଗୁଡା ନିୟନ୍ତ୍ରିତ ବଜାର କମିଟି (RMC) ଅଧୀନ ରଣମାଳ ସମବାୟ ସମିତିର ବଡ଼ଟେମରି ଧାନ ମଣ୍ଡିରେ ଏବେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ମିଲରଙ୍କ ମନମୁଖୀ କାର୍ଯ୍ୟକଳାପ ଏବଂ ପ୍ରଶାସନିକ ଅବହେଳା ଯୋଗୁଁ ଆଜି ହଜାର ହଜାର କ୍ୱିଣ୍ଟାଲ ଧାନ ଖୋଲା ଆକାଶ ତଳେ ପଡ଼ି ନଷ୍ଟ ହେଉଛି। କାଳବୈଶାଖୀ ବର୍ଷାରେ ଧାନ ଭିଜି ଗଜା ହୋଇଯାଇଥିବା ବେଳେ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି।
ଖୋଲା ଆକାଶ ତଳେ ଧାନର ପାହାଡ଼, ଗାଡ଼ି ପଠାଉନାହାନ୍ତି ମିଲର୍ସ
ବଡ଼ଟେମରି ଧାନ ମଣ୍ଡିର ଦୃଶ୍ୟ ଅତ୍ୟନ୍ତ ଦୟନୀୟ। ଚାରିଆଡ଼େ କେବଳ ଧାନ ବସ୍ତାର ପାହାଡ଼ ଜମି ରହିଛି। ଦୁଃଖର ବିଷୟ ହେଉଛି, ଏତେ ପରିମାଣର ଧାନ ସୁରକ୍ଷିତ ରଖିବା ପାଇଁ ମଣ୍ଡିରେ କୌଣସି ପ୍ରଯପ୍ତ୍ୟ ଛାଉଣୀର ବ୍ୟବସ୍ଥା ନାହିଁ। ଅଭିଯୋଗ ଅନୁଯାୟୀ, ମିଲରମାନେ ପର୍ଯ୍ୟାପ୍ତ ପରିମାଣରେ ଗାଡ଼ି ପଠାଉ ନାହାନ୍ତି, ଯାହାଫଳରେ ମଣ୍ଡିରୁ ଧାନ ଉଠିପାରୁ ନାହିଁ। ଏପଟେ କାଳବୈଶାଖୀର ଅଦିନିଆ ବର୍ଷା ଚାଷୀଙ୍କ ବର୍ଷକର ସବୁ ପରିଶ୍ରମ ଉପରେ ପାଣି ବୁଲାଇ ଦେଇଛି। ବର୍ଷା ପାଣିରେ ଭିଜି ଧାନ ସବୁ ଏବେ ଗଜା ହେବାକୁ ବସିଲାଣି, ଯାହା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି।ଚାଷୀଙ୍କ ସମସ୍ୟା କେବଳ ଧାନ ନଉଠିବାରେ ସୀମିତ ନାହିଁ, ବରଂ ମଣ୍ଡି ଖୋଲିବା ନେଇ ମଧ୍ୟ ବଡ଼ ଧରଣର ପାତରଅନ୍ତର କରାଯାଉଥିବା ନେଇ ସାନଟେମରୀ ଓ ବଡ଼ଟେମରୀ ଅଞ୍ଚଳର ଚାଷୀମାନେ ଅଭିଯୋଗ ଆଣିଛନ୍ତି।ନିୟମ ଅନୁଯାୟୀ: ବଡ଼ଟେମରୀ ମଣ୍ଡି ସୋମବାର ରୁ ଗୁରୁବାର (୪ ଦିନ) ଏବଂ ଶୁକ୍ରବାର ଓ ଶନିବାର ଖଲିଆଭଟ୍ଟା (୨ ଦିନ) ଚାଲିବା କଥା। ନିୟମକୁ ବେଖାତିର କରି କେବଳ 'ଖଲିଆଭଟ୍ଟା' ମଣ୍ଡିକୁ ସବୁଦିନ ଚାଲୁ ରଖାଯାଉଛି।
ଏହି ମନମୁଖୀ ନୀତି ଯୋଗୁଁ ବଡ଼ଟେମରୀ ମଣ୍ଡି ଉପରେ ନିର୍ଭର କରୁଥିବା ଶତାଧିକ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଗୋଟେ ପଟେ ମିଲରଙ୍କ ସ୍ବେଚ୍ଛାଚାରିତା ଓ ଅନ୍ୟପଟେ ପ୍ରଶାସନର ପାତରଅନ୍ତର ନୀତି—ଏହି ଦୁଇ ଚକ ମଝିରେ ପିସି ହେଉଛି କେବଳ ନିରୀହ ଗରିବ ଚାଷୀ। ଧାନ ମଣ୍ଡିର ଏଭଳି ସ୍ଥିତି ଏବେ ସ୍ଥାନୀୟ ପ୍ରଶାସନର ସ୍ୱଚ୍ଛତା ଓ ଆନ୍ତରିକତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ତୁରନ୍ତ ମଣ୍ଡିରୁ ସମସ୍ତ ଧାନ ଉଠା ନଯାଏ ଏବଂ ପ୍ରଭାବିତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାନଯାଏ, ତେବେ ଆଗାମୀ ଦିନରେ ଚାଷୀକୂଳ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ଓ ବଡ଼ ଧରଣର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
