ନିମପୁର ଶ୍ରୀ ଶ୍ରୀ କୃଷ୍ଣେଶ୍ୱର ମନ୍ଦିରରେ ଶୀତଳ ଷଷ୍ଠୀ ମହୋତ୍ସବ; ଦେବ ଦମ୍ପତିଙ୍କ ବିବାହ ଶେଷ, ଆଜି ନଗର ପରିକ୍ରମା
Cuttack (କଟକ)ରିପୋର୍ଟ:ସୁରେନ୍ଦ୍ର ଜେନା, କଟକJune 19, 202667 views

ଜଗତପୁର: ଜଗତପୁର ନିମପୁରସ୍ଥିତ ଶ୍ରୀ ଶ୍ରୀ କୃଷ୍ଣେଶ୍ୱର ମହାଦେବଙ୍କ ମନ୍ଦିରରେ ଶୀତଳଷଷ୍ଠୀ ମହୋତ୍ସବ ପାରମ୍ପରିକ ରୀତିରେ ପାଳନ କରାଯାଇଛି। ଏହି ଅବସରରେ ଶିବ-ପାର୍ବତୀଙ୍କ ବିବାହ ଉତ୍ସବର ଆୟୋଜନ କରାଯାଇଥିଲା। ବୁଧବାର ଦିନ ତାଟ ନିମନ୍ତ୍ରଣ କରାଯିବା ସହ ଗୁରୁବାର ଦିନ ଦେବ ଦମ୍ପତିଙ୍କ ବିବାହ ଓ ପାଣି ଗ୍ରହଣ କାର୍ଯ୍ୟ ବିଧିମତେ ଅନୁଷ୍ଠିତ ହୋଇଥିଲା । ବିବାହ ଉତ୍ସବରେ ବର ପିତା ଭାବେ ବ୍ରଜକିଶୋର ପଣ୍ଡା ଓ ମାତା ଭାବେ ରୀନା ପଣ୍ଡା ଏବଂ କନ୍ୟା ପିତା ଭାବେ ମୋହନ ରଞ୍ଜନ ପଣ୍ଡା ଓ ମାତା ଭାବେ ପ୍ରତିମା ପଣ୍ଡା ଦାୟିତ୍ଵ ନିର୍ବାହ କରିଥିଲେ। ସନ୍ଧ୍ୟାରେ ବୈଦିକ ରୀତିନୀତି
ଅନୁଯାୟୀ ସମସ୍ତ ବୈବାହିକ କର୍ମ ସମ୍ପନ୍ନ କରାଯାଇଥିଲା। ପୂଜକ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଓ ଆଦିତ୍ୟ କୁମାର ଆଚାର୍ଯ୍ୟ ପୂଜାପାଠ କରିଥିଲେ। ମନ୍ଦିରର ସେବାୟତ ନାରାୟଣ ରାଉଳ, ଦେବେନ୍ଦ୍ର ପଣ୍ଡା ଓ ଡମ୍ବରୁଧର ରାଉଳଙ୍କ ସମେତ ଅନ୍ୟାନ୍ୟ ପଣ୍ଡିତ ଓ ଆଚାର୍ଯ୍ୟ ମଣ୍ଡଳୀଙ୍କ ଦ୍ବାରା ପୂଜା କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା। ମନ୍ଦିର ଉନ୍ନୟନ କମିଟିର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ ୩ ଦିନ ବ୍ୟାପି ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଛି। ଶୁକ୍ରବାର ଦିନ ଦେବ ଦମ୍ପତିଙ୍କର ନଗର ପରିକ୍ରମା ହେବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି।
