ବରିଷ୍ଠ IPS ଅଫିସର ଦୟାଲ ଗଙ୍ଗୱାର ନିଲମ୍ବିତ
Bhubaneswar (ଭୁବନେଶ୍ୱର)ରିପୋର୍ଟ: କବିରାଜ ପାତ୍ର, ସ୍ୱତନ୍ତ୍ର ପ୍ରତିନିଧି, ଓଡିଶାJune 19, 202675 views

ଭୁବନେଶ୍ୱର: ବରିଷ୍ଠ ଆଇପିଏସ (IPS) ଅଫିସର ଦୟାଲ ଗଙ୍ଗୱାରଙ୍କ ନିଲମ୍ବନ (Suspension) କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବାଲିଅନ୍ତା ସୌମ୍ୟରଞ୍ଜନ ସ୍ୱାଇଁ ମୃତ୍ୟୁ ମାମଲାରେ ବିବାଦ ଉପୁଜିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ନିଲମ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସେ ଗୃହ ବିଭାଗର ଓଏସଡି (OSD) ଭାବେ କାର୍ଯ୍ୟ କରୁଥିଲେ। ଏହା ପୂର୍ବରୁ ସେ ଏଡିଜି (ADG) କମ୍ୟୁନିକେସନ ପଦବୀରେ ଥିଲେ, ମାତ୍ର ବିବାଦ ପରେ ତାଙ୍କୁ ବଦଳି କରାଯାଇଥିଲା।
ଜିଆରପି (GRP) କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁ ମାମଲାରେ ଦୟାଲ ଗଙ୍ଗୱାରଙ୍କ ନାଁକୁ ନେଇ ପ୍ରବଳ ବିବାଦ ଦେଖାଦେଇଥିଲା। ସୌମ୍ୟରଞ୍ଜନଙ୍କୁ ସରକାରୀ କାର୍ଯ୍ୟ ବ୍ୟତୀତ ନିଜର ବ୍ୟକ୍ତିଗତ କାମରେ ଲଗାଇବା ଏବଂ ମାନସିକ ନିର୍ଯାତନା ଦେବା ନେଇ ମୃତ କନେଷ୍ଟବଳଙ୍କ ବାପା-ମାଆ ସିଧାସଳଖ ଅଭିଯୋଗ ଆଣିଥିଲେ।
କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ଶ୍ରୀ ଗଙ୍ଗୱାରଙ୍କୁ ପୂର୍ବରୁ ପଚରାଉଚରା ମଧ୍ୟ କରାଯାଇଥିଲା। ଏହା ସହିତ ମାନବାଧିକାର କମିଶନ (NHRC) ଟିମ୍ ମଧ୍ୟ ଏହି ମାମଲାରେ ସମ୍ପୃକ୍ତ କର୍ମଚାରୀମାନଙ୍କୁ ପଚରାଉଚରା କରିଛନ୍ତି।
ମୃତ ସୌମ୍ୟଙ୍କ ପରିବାର ଲୋକଙ୍କ ଗୁରୁତର ଅଭିଯୋଗ ଏବଂ ଜନ ଅସନ୍ତୋଷକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ବଡ଼ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରିଛନ୍ତି।
