ବିକାଶର ଧାରା ଓଡ଼ିଶା ସାରା: କୃଷି ଓ ସଶକ୍ତ କୃଷକ ବିଭାଗର ସଫଳତା ନେଇ ସଚେତନତା ସଭା
Nuapada (ନୂଆପଡ଼ା)ରିପୋର୍ଟର: ଭଜନଲାଲ ଜଗତJune 18, 2026111 views

ଖଡ଼ିଆଳ, ୧୮/୦୬
ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବ୍ଲକ ପକ୍ଷରୁ ଆୟୋଜିତ ‘ବିକାଶର ଧାରା, ଓଡ଼ିଶା ସାରା’ କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ କୃଷି ଓ ସଶକ୍ତ କୃଷକ ବିଭାଗର ବିଭିନ୍ନ ଉପଲବ୍ଧି ଏବଂ ସରକାରୀ ଯୋଜନା ସମ୍ପର୍କରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। କୃଷକଙ୍କ ଆର୍ଥିକ ସଶକ୍ତିକରଣ, ଆଧୁନିକ କୃଷି ପ୍ରଣାଳୀ ଏବଂ ସରକାରୀ ସହାୟତାକୁ ଗ୍ରାମାଞ୍ଚଳରେ ପହଞ୍ଚାଇବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଖଡ଼ିଆଳ ବିଡିଓ ମିଳନ କୁମାର ଝାଙ୍କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ରାଜ୍ୟ ସରକାର କୃଷି ଓ କୃଷକଙ୍କ ସାମଗ୍ରିକ ବିକାଶ ପାଇଁ ସଂକଳ୍ପବଦ୍ଧ ଭାବେ କାର୍ଯ୍ୟ କରୁଛନ୍ତି। ଜୈବିକ ଓ ଆଧୁନିକ ଚାଷ ପ୍ରଣାଳୀକୁ ଆପଣାଇବା ଦ୍ୱାରା ଜମିର ଉର୍ବରତା ବଜାୟ ରହିବା ସହ ଉତ୍ପାଦନ ବୃଦ୍ଧି ପାଇବ ଏବଂ କୃଷକଙ୍କ ଆୟ ମଧ୍ୟ ବଢ଼ିବ ବୋଲି ସେ ମତ ପ୍ରକାଶ କରିଥିଲେ।
ସଭାରେ ଜିଲ୍ଲା ପରିଷଦ ସଦସ୍ୟ ମାଲ୍ୟବନ୍ତ ସୁନା, ଆତ୍ମା ଅଧ୍ୟକ୍ଷ ନବୀନ ନାଏକ, ସମାଜସେବୀ ଅଜିତ କିଶୋର ଚଲାନ, ତିଖାଲି ଜଳସେଚନ ପ୍ରକଳ୍ପ ପାଣି ପଞ୍ଚାୟତ ଅଧ୍ୟକ୍ଷ ସୁଶାନ୍ତ କୁମାର ବିଶିଙ୍କ ସମେତ ବହୁ ଜନପ୍ରତିନିଧି ଓ ଅଧିକାରୀ ଉପସ୍ଥିତ ରହି କୃଷି କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ପଦକ୍ଷେପ ଓ ସଫଳତା ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ କୃଷି, ସମନ୍ୱିତ ଶିଶୁ ଓ ମହିଳା ବିକାଶ, ଶିକ୍ଷା, ଖାଦ୍ୟ ଯୋଗାଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ସମେତ ବିଭିନ୍ନ ବିଭାଗ ପକ୍ଷରୁ ଆକର୍ଷଣୀୟ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ପ୍ରଦର୍ଶନୀ ମାଧ୍ୟମରେ ସରକାରଙ୍କ ଜନହିତକର ଯୋଜନା, କୃଷି ଉନ୍ନତି କାର୍ଯ୍ୟକ୍ରମ ଓ ଲୋକକଲ୍ୟାଣମୂଳକ ପଦକ୍ଷେପ ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଯାଇଥିଲା।
କାର୍ଯ୍ୟକ୍ରମରେ ଉପସ୍ଥିତ କୃଷକ ଓ ସାଧାରଣ ଜନତାଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ଉଠାଇ ନିଜ ଆର୍ଥିକ ଓ ସାମାଜିକ ବିକାଶରେ ସାମିଲ ହେବାକୁ ଆହ୍ୱାନ କରାଯାଇଥିଲା। କାର୍ଯ୍ୟକ୍ରମଟି ଅଞ୍ଚଳରେ ବିକାଶ ଓ ସଚେତନତାର ଏକ ସକାରାତ୍ମକ ବାର୍ତ୍ତା ପହଞ୍ଚାଇବାରେ ସଫଳ ହୋଇଥିବା ମତ ପ୍ରକାଶ ପାଇଛି।
