ମୃତ୍ୟୁକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର ! ପ୍ରଶାସନର ନିଦ ଭାଙ୍ଗିବ କେବେ ?
Deogarh (ଦେଓଗଡ଼)ରିପୋର୍ଟ: ନରୋତ୍ତମ ପରିଡ଼ା, ବାରକୋଟJune 16, 2026201 views

ବାରକୋଟ/ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ବଳମ ଗ୍ରାମ ପଞ୍ଚାୟତର ନୂଆଗାଁ ଗ୍ରାମରେ ରାସ୍ତା କଡ଼ରେ ଥିବା ଏକ ମୁକୁଳା ଟ୍ରାନ୍ସଫର୍ମର ଏବେ ସାଧାରଣ ଲୋକଙ୍କ ପାଇଁ ବିପଦର କାରଣ ପାଲଟିଛି। ସୁରକ୍ଷା ବ୍ୟବସ୍ଥା ବିହୀନ ଭାବେ ରହିଥିବା ଏହି ଟ୍ରାନ୍ସଫର୍ମରକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଭୟ ଓ ଅସନ୍ତୋଷ ବଢ଼ିଚାଲିଛି।
ଗ୍ରାମର ମୁଖ୍ୟ ରାସ୍ତା କଡ଼ରେ ଥିବା ଏହି ଟ୍ରାନ୍ସଫର୍ମର ନିକଟ ଦେଇ ପ୍ରତିଦିନ ସ୍କୁଲ ଛାତ୍ରଛାତ୍ରୀ, ମହିଳା, ବୃଦ୍ଧ ଏବଂ ନୂଆଗାଁ ସମେତ ଆଖପାଖର ୪ରୁ ୫ଟି ଗ୍ରାମର ଶତାଧିକ ଲୋକ ଯାତାୟାତ କରୁଛନ୍ତି। ତେବେ ଟ୍ରାନ୍ସଫର୍ମର ଚାରିପାଖରେ କୌଣସି ସୁରକ୍ଷା ବାଡ଼ କିମ୍ବା ସତର୍କ ସୂଚନା ବ୍ୟବସ୍ଥା ନଥିବାରୁ ଯେକୌଣସି ସମୟରେ ବଡ଼ ଧରଣର ଅଘଟଣ ଘଟିପାରେ ବୋଲି ଆଶଙ୍କା ପ୍ରକାଶ ପାଉଛି।
ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଏହି ସମସ୍ୟା ସମ୍ପର୍କରେ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ବିଦ୍ୟୁତ ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇନାହିଁ। ଫଳରେ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ଗ୍ରାମବାସୀମାନେ ତୁରନ୍ତ ଟ୍ରାନ୍ସଫର୍ମର ଚାରିପାଖରେ ସୁରକ୍ଷା ବାଡ଼ ନିର୍ମାଣ କରି ଜନଜୀବନକୁ ସୁରକ୍ଷିତ କରିବା ପାଇଁ ଦାବି କରିଛନ୍ତି। ଅନ୍ୟଥା କୌଣସି ଦୁର୍ଘଟଣା ଘଟିଲେ ତାହା ପାଇଁ ସମ୍ପୃକ୍ତ ବିଭାଗ ଦାୟୀ ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
