କାର୍ ସହ ୨୪ କେଜି ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ ବରଗଡ଼ ଜିଲ୍ଲା ଜଗଦଲପୁର ପୁଲିସକୁ ମିଳିଛି ଏକ ବଡ଼ ସଫଳତା
Bargarh (ବରଗଡ଼)ରିପୋର୍ଟ: ତରଣୀ ପଟେଲ, ବରଗଡJune 14, 202647 views

ବରଗଡ: ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ର଼୍ୟାକେଟ୍ର ପର୍ଦ୍ଦାଫାସ କରି ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨୪ କେଜି ୬୦୦ ଗ୍ରାମ୍ ଗଞ୍ଜେଇ ସହ ଏକ ଡାଟସନ୍ କାର୍ (ସିଜି ୨୫ ଇ ୬୬୭୫), ତିନୋଟି ମୋବାଇଲ ଫୋନ୍ ଏବଂ ନଗଦ ୫ ହଜାର ଟଙ୍କା ଜବତ କରାଯାଇଛି।
ସୂଚନା ଅନୁଯାୟୀ, ବରପାଲି ପାର୍ଶ୍ୱରୁ ଏକ ଲାଲ୍ ରଙ୍ଗର ଡାଟସନ୍ କାର୍ରେ ପ୍ରଚୁର ପରିମାଣର ଗଞ୍ଜେଇ ବିକ୍ରି ଉଦ୍ଦେଶ୍ୟରେ ଛତିଶଗଡ଼କୁ ଚାଲାଣ କରାଯାଉଥିଲା। ବିଶ୍ବସ୍ତ ସୂତ୍ରରୁ ଏହି ଖବର ପାଇ ଜଗଦଲପୁର ଥାନାଧିକାରୀ ଦୀପ୍ତିରଞ୍ଜନ ଦିଗାଲ ପୁଲିସ ଟିମ୍ ସହ ତତ୍କାଳ ଚଢ଼ଉ କରିଥିଲେ। ମାଜିଷ୍ଟ୍ରେଟ୍ ଦାୟିତ୍ବରେ ଥିବା ଗାଇସିଲେଟ୍ ଅତିରିକ୍ତ ତହସିଲଦାର ଦେବାଶିଷ ମିଶ୍ରଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଅଙ୍ଗନଦୀ ନିକଟସ୍ଥ ଛକ ଅଞ୍ଚଳରେ ଉକ୍ତ ଗାଡ଼ିକୁ ଅଟକାଇ ପୁଲିସ ତଲାସୀ କରିଥିଲା।
ତଲାସୀ ବେଳେ କାର୍ ଭିତରୁ ୨୪ଟି ପ୍ୟାକେଟରେ ରଖାଯାଇଥିବା ମୋଟ ୨୪ କେଜି ୬୦୦ ଗ୍ରାମ୍ ଗଞ୍ଜେଇ ମିଳିଥିଲା। ଏହି ଚୋରାଚାଲାଣରେ ସମ୍ପୃକ୍ତ ଥିବା ଛତିଶଗଡ଼ ରାଜ୍ୟର ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବେନିତରା ଜିଲ୍ଲା ବେର୍ଲା ଥାନା ଅଚୋଲି ଗ୍ରାମର ସୀତାରାମ ନିଷାଦ (୩୯), ନୀଳାଧର ସାହୁ (୪୫) ଏବଂ ରାୟପୁର ଜିଲ୍ଲା ଧରଶିୱା ଥାନା ସିଲତାରା ଗ୍ରାମର ବିନେଶ ସାହୁ (୨୫)। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି।
ଏହି ଘଟଣାରେ ଜଗଦଲପୁର ଥାନାରେ କେସ୍ ନମ୍ବର ୧୧୧/୨୦୨୬ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ପଦ୍ମପୁର ଥାନା ଏସ୍ଆଇ ଏ. ବେହେରା ଏହି ଘଟଣାର ଅଧିକ ତଦନ୍ତ କରୁଛନ୍ତି। ଉକ୍ତ ସଫଳ ଚଢ଼ଉରେ ଜଗଦଲପୁର ଥାନା ଏଏସ୍ଆଇ ଶାନ୍ତନୁ ନାୟକ, କନେଷ୍ଟବଳ କେ.କେ. ସାହୁ ଏବଂ ଏସ୍. ଧରୁଆ ପ୍ରମୁଖ ସକ୍ରିୟ ଭାଗ ନେଇଥିଲେ।
