--:--:--
-- ---
Srishti News

୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜରପଡ଼ା ଥାନାର ଏଏସଆଇ ଭିଜିଲାନ୍ସ ଜାଲରେ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 13, 2026100 views
୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜରପଡ଼ା ଥାନାର ଏଏସଆଇ ଭିଜିଲାନ୍ସ ଜାଲରେ
ଅନୁଗୋଳ: ଅନୁଗୋଳ ଜିଲ୍ଲା ଜରପଡ଼ା ଥାନାର ଏଏସଆଇ ସୀତା ନାୟକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ରଙ୍ଗେହାତ ଧରାପଡ଼ିଛନ୍ତି। ଜଣେ ଅଭିଯୋଗକାରୀଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଅନୁଗୋଳ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ତାଙ୍କୁ କାବୁ କରିଥିଲା। ଭିଜିଲାନ୍ସ ସୂଚନା ଅନୁଯାୟୀ, ୨୪୯/୨୦୨୫ ନମ୍ବର ଏକ ମାମଲାର ଫାଇନାଲ ରିପୋର୍ଟ ଦାଖଲ କରିବା ପାଇଁ ଏଏସଆଇ ସୀତା ନାୟକ ଅଭିଯୋଗକାରୀଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିବା ପରେ ତାହାର ସତ୍ୟତା ଯାଞ୍ଚ କରାଯାଇଥିଲା। ଅଭିଯୋଗ ସତ୍ୟ ବୋଲି ଜଣାପଡ଼ିବା ପରେ ଭିଜିଲାନ୍ସ ପକ୍ଷରୁ ଏକ ଯୋଜନାବଦ୍ଧ ଚଢ଼ାଉର ବ୍ୟବସ୍ଥା କରାଯାଇଥିଲା। ଯୋଜନା ମୁତାବକ ଶୁକ୍ରବାର ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରି ସୀତା ନାୟକଙ୍କୁ ରଙ୍ଗେହାତ ଧରିଥିଲେ। ତାଙ୍କ ନିକଟରୁ ଲାଞ୍ଚ ବାବଦର ୮ ହଜାର ଟଙ୍କା ଜବତ କରାଯାଇଛି। ଏହାପରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତକୁ ଆଗକୁ ବଢ଼ାଯାଇଛି। ସେହିପରି ଜରପଡ଼ାସ୍ଥିତ ତାଙ୍କ କାର୍ଯ୍ୟାଳୟ, ସ୍ଥାନୀୟ ଅଞ୍ଚଳରେ ଥିବା ଭଡ଼ା ଘର ଏବଂ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଅଁଳାପାଳ ଗ୍ରାମରେ ଥିବା ଶ୍ୱଶୁର ଘରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗକୁ ନେଇ ମଧ୍ୟ ଅଧିକ ତଦନ୍ତ ଚାଲିଥିବା ବେଳେ, ଏହି ଅପରେସନରେ ଭିଜିଲାନ୍ସର ତିନୋଟି ସ୍ୱତନ୍ତ୍ର ଟିମ୍ ସାମିଲ ଥିବା ସୂଚନା ମିଳିଛି। ଘଟଣାଟି ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।