ମାଛ ଧରିବାକୁ ଯାଇ ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ, ଅନୁଗୁଳJune 13, 202689 views

ଅନୁଗୋଳ: ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ସିଲିଂ ଗ୍ରାମ ନିକଟ ବ୍ରାହ୍ମଣୀ ନଦୀରେ ମାଛ ଧରିବାକୁ ଯାଇ ଜଣେ ଯୁବକଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ସିଲିଂ ଗ୍ରାମର ମିଟୁ ଦେହୁରୀ।
ସୂଚନା ଅନୁଯାୟୀ, ମିଟୁ ଗତ ରାତିରେ ଏକ ଡଙ୍ଗା ସାହାଯ୍ୟରେ ବ୍ରାହ୍ମଣୀ ନଦୀକୁ ମାଛ ଧରିବା ପାଇଁ ଯାଇଥିଲେ। ଦୀର୍ଘ ସମୟ ଧରି ସେ ଘରକୁ ଫେରି ନଥିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ତେବେ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା।
ପରେ ପରିବାର ପକ୍ଷରୁ ସମଲ ପୋଲିସ ଓ କଣିହାଁ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଖବର ପାଇ ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଲାସି ଅଭିଯାନ ଚଳାଇଥିଲେ। ବହୁ ଖୋଜାଖୋଜି ପରେ ନଦୀରୁ ମିଟୁଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି। ଏହି ଘଟଣା ପରେ ସିଲିଂ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ବ୍ରାହ୍ମଣୀ ନଦୀରେ ବାରମ୍ବାର ବୁଡ଼ି ମୃତ୍ୟୁ ଘଟଣା ସାମ୍ନାକୁ ଆସୁଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ସଚେତନତା ବୋର୍ଡ ଲଗାଯାଇଥିଲେ ମଧ୍ୟ ଏଭଳି ଦୁର୍ଘଟଣା ଥମିବାର ନାମ ନେଉନାହିଁ। ବର୍ଷା ଋତୁ ଆରମ୍ଭ ହୋଇଥିବାରୁ ନଦୀକୁ ଯାଉଥିବା ମାଛଧରାଳୀ ଓ ସାଧାରଣ ଲୋକଙ୍କୁ ସତର୍କ ରହିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।
