ମୃତ ଭାବି କୂଅକୁ ଫିଙ୍ଗି ଦେଇଥିଲେ, ୪ ଦିନ ପରେ ଜୀବିତ ଉଦ୍ଧାର: ୪ ଅଭିଯୁକ୍ତ ଗିରଫ
Bargarh (ବରଗଡ଼)ରିପୋର୍ଟ: ତରଣୀ ପଟେଲJune 12, 202661 views

ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ସମଲେଇପଦର ନିକଟସ୍ଥ ଜଙ୍ଗଲରେ ଥିବା ଏକ ପରିତ୍ୟକ୍ତ କୂଅରୁ ଯୁବକଙ୍କୁ ୪ ଦିନ ପରେ ଜୀବିତ ଉଦ୍ଧାର କରାଯିବା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ଘଟଣାରେ ସଂପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି।
ଗିରଫ ଅଭିଯୁକ୍ତମାନେ ହେଲେ ପଦ୍ମପୁର ଶକ୍ତିନଗରର ବାବୁଲୁ ମନହୀରା, ବିଜେପୁର ଭୋଇପଡାର ଶକ୍ତି ବେହେରା, ମଧ୍ୟପଡାର ତ୍ରିନାଥ ମହାପାତ୍ର ଏବଂ ବିଜେପୁରର ମହମ୍ମଦ ଆକମଲ୍ ରଜାକ୍।
ସୂଚନା ଅନୁସାରେ, ପଦ୍ମପୁର ଉପଖଣ୍ଡ ପୁରେନା ଗ୍ରାମର ତୁଳସୀରାମ ଭୁଏ ନିଖୋଜ ଥିବାବେଳେ ଗୁରୁବାର ସମଲେଇପଦର ନିକଟ ଏକ ପରିତ୍ୟକ୍ତ କୂଅ ଭିତରୁ ତାଙ୍କୁ ଉଦ୍ଧାର କରା ଯାଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ତୁଳସୀରାମଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ସେ ମୃତ ବୋଲି ଭାବି କୂଅ ଭିତରକୁ ଫିଙ୍ଗି ଦେଇଥିଲେ।
ତେବେ ଚମତ୍କାର ଭାବେ ତୁଳସୀରାମ ୪ ଦିନ ଧରି କୂଅ ଭିତରେ ଜୀବନ ସହ ସଂଘର୍ଷ କରି ଜୀବିତ ରହିଥିଲେ। ଉଦ୍ଧାର ପରେ ତାଙ୍କ ବୟାନ ଓ ପୋଲିସର ତଦନ୍ତ ଆଧାରରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିଥିଲା। ପୋଲିସ ମାମଲାର ଅଧିକ ତଦନ୍ତ ଜାରି ରଖିଛି।
