--:--:--
-- ---
Srishti News

ଅବକାରୀ ବିଭାଗର ଅଜବ ନୀତି, ଛୋଟ ବ୍ୟବସାୟୀଙ୍କୁ ଧରପଗଡ଼, ବଡ଼ ମଦ ମାଫିଆଙ୍କୁ ସୁରକ୍ଷା ଅଭିଯୋଗ

Sundargarh (ସୁନ୍ଦରଗଡ଼)ରିପୋର୍ଟ: ଗଣପତି ଦାସ, ଜିଲ୍ଲା ପ୍ରତିନିଧି, ସୁନ୍ଦରଗଡJune 12, 202648 views
ଅବକାରୀ ବିଭାଗର ଅଜବ ନୀତି, ଛୋଟ ବ୍ୟବସାୟୀଙ୍କୁ ଧରପଗଡ଼, ବଡ଼ ମଦ ମାଫିଆଙ୍କୁ ସୁରକ୍ଷା ଅଭିଯୋଗ
ନୂଆଗାଁ: ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକରେ ବେଆଇନ ମଦ କାରବାରକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। ଗତ କିଛି ମାସ ଧରି ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ମଦବିରୋଧୀ ଅଭିଯାନ ଜୋରଦାର କରାଯାଉଥିବା ଦେଖାଯାଉଥିବା ବେଳେ, ଏହି ଅଭିଯାନ କେବଳ ଛୋଟ ବ୍ୟବସାୟୀ ଓ ଦେଶୀ ମଦ ପ୍ରସ୍ତୁତକାରୀଙ୍କ ମଧ୍ୟରେ ସୀମିତ ରହିଥିବା ଅଭିଯୋଗ ଉଠୁଛି। ସ୍ଥାନୀୟ ଲୋକଙ୍କ ମତାନୁସାରେ, ନୂଆଗାଁ ବ୍ଲକର ଚିତାପେଡ଼ି, ତେତେରକେଲା, ବାଗଡେଗା, ବାରିଲେପଟା, ଉର୍ମେଇ, କୁଲାଗଜ, ସୋରଡ଼ା, ଖୁଟଗାଁ, ଲିଣ୍ଡ୍ରା, କୋଏଲସୂତା, ନୂଆଗାଁ, ଗୋଲଦାରୁ ଛକ, ଯୋଜଦା, ଗୋପୁର, ଅଙ୍କୁରପାଲି, କୋକେରମା, କରଡେଗା ଓ ପୁରୁଣାପାଣି ସମେତ ପ୍ରାୟ ୨୦ଟି ପଞ୍ଚାୟତର ଶତାଧିକ ଗାଁରେ ଦେଶୀ ଓ ବିଦେଶୀ ମଦର ଖୋଲା ବେପାର ଚାଲିଥିବା ଚର୍ଚ୍ଚା ହେଉଛି। ଏହାଠାରୁ ଅଧିକ ଚିନ୍ତାଜନକ ବିଷୟ ହେଉଛି, କିଛି ଅସାଧୁ ବ୍ୟବସାୟୀ ଝାରଖଣ୍ଡ, ପଶ୍ଚିମବଙ୍ଗ ଓ ବିହାର ଅଞ୍ଚଳରୁ ନକଲି ବିଦେଶୀ ମଦ ଆଣି ସ୍ଥାନୀୟ ବଜାରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଏହି ନକଲି ମଦ ବୋତଲରେ ଅସଲି ବ୍ରାଣ୍ଡ ଭଳି ଲେବୁଲ ଲଗାଯାଉଥିବାରୁ ସାଧାରଣ ଗ୍ରାହକଙ୍କ ପାଇଁ ଅସଲି ଓ ନକଲି ମଦ ଚିହ୍ନଟ କରିବା କଷ୍ଟକର ହୋଇପଡ଼ୁଛି। ସ୍ଥାନୀୟ ସୂତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ, ବ୍ଲକର କିଛି ଅଞ୍ଚଳରେ ଗୁପ୍ତ ଡିପୋରେ ଏହି ନକଲି ମଦ ପ୍ରସ୍ତୁତ କରାଯାଇ ପରେ ବିଭିନ୍ନ ଗାଁକୁ ଯୋଗାଣ କରାଯାଉଛି। ତଥାପି ଏଭଳି ବଡ଼ ରାକେଟ ବିରୋଧରେ ଦୃଶ୍ୟମାନ କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଅବକାରୀ ବିଭାଗର ଭୂମିକାକୁ ନେଇ ପ୍ରଶ୍ନ ଉଠୁଛି। ଅଭିଯୋଗ ଅନୁସାରେ, ଗତ ୬ରୁ ୭ ମାସ ମଧ୍ୟରେ ଅବକାରୀ ବିଭାଗ କେବଳ କିଛି ଛୋଟ ଦେଶୀ ମଦ ପ୍ରସ୍ତୁତକାରୀଙ୍କୁ ଗିରଫ କରି ମାମଲା ରୁଜୁ କରିଥିବା ବେଳେ, ବଡ଼ ମଦ ବ୍ୟବସାୟୀ କିମ୍ବା ମଦ ମାଫିଆଙ୍କ ବିରୋଧରେ ସେହି ଅନୁପାତରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏହି ପରିପ୍ରେକ୍ଷୀରେ ନୂଆଗାଁ ଅଞ୍ଚଳରେ ବେଆଇନ ମଦ କାରବାର, ନକଲି ମଦ ପ୍ରସ୍ତୁତି ଏବଂ ଏହା ପଛରେ ଥିବା କଥିତ ମାଫିଆ ଚକ୍ର ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନର ଏକ ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି। (ଉପରୋକ୍ତ ବିବରଣୀ ସ୍ଥାନୀୟ ଅଭିଯୋଗ ଓ ଆଲୋଚନା ଉପରେ ଆଧାରିତ, ସମ୍ପୃକ୍ତ ବିଭାଗର ପ୍ରତିକ୍ରିୟା ମିଳିଲେ ତାହାକୁ ମଧ୍ୟ ପ୍ରକାଶ କରାଯିବ)