ଲିଆଡ଼ରେ ମନରେଗା ଓ ସିଏଫସି କାର୍ଯ୍ୟରେ ଅନିୟମିତତା ଅଭିଯୋଗ: ସୂଚନା ଫଳକ ବିନା ଚାଲିଛି ଲକ୍ଷାଧିକ ଟଙ୍କାର କାମ, ନିରପେକ୍ଷ ତଦନ୍ତ ଦାବି
Nuapada (ନୂଆପଡ଼ା)ରିପୋର୍ଟର: ମଳୟ ମେହେର, ସିନାପାଲିJune 12, 202685 views

ସିନାପାଲି: ଗ୍ରାମୀଣ ବିକାଶର ସ୍ୱପ୍ନକୁ ସାକାର କରିବା ପାଇଁ ସରକାରଙ୍କ ପକ୍ଷରୁ ମନରେଗା ଓ ସିଏଫସି ଭଳି ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ ହେଉଥିବାବେଳେ, ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ମଖାପଦର ଗ୍ରାମ ପଞ୍ଚାୟତର ଲିଆଡ଼ ଗ୍ରାମରେ ଚାଲିଥିବା କେତେକ ବିକାଶମୂଳକ କାର୍ଯ୍ୟକୁ ନେଇ ଗୁରୁତର ଅନିୟମିତତାର ଅଭିଯୋଗ ସାମ୍ନାକୁ ଆସିଛି । ସୂଚନା ଫଳକ ବିନା କାର୍ଯ୍ୟ ପରିଚାଳନା, ଗୋଟିଏ ପ୍ରକଳ୍ପର ମାଟିକୁ ଅନ୍ୟ ପ୍ରକଳ୍ପରେ ବ୍ୟବହାର ଏବଂ ଶ୍ରମିକଙ୍କ ପରିବର୍ତ୍ତେ ଯନ୍ତ୍ର ଓ ଟ୍ରାକ୍ଟର ବ୍ୟବହାର ଭଳି ଅଭିଯୋଗ ଅଞ୍ଚଳରେ ଚର୍ଚ୍ଚାର ଝଡ଼ ସୃଷ୍ଟି କରିଛି ।
ଗ୍ରାମବାସୀଙ୍କ ସୂଚନା ଅନୁସାରେ, କପରମାଲ ଛକରୁ ଡୋଙ୍ଗରମୁଣ୍ଡା ପର୍ଯ୍ୟନ୍ତ ମନରେଗା ଯୋଜନାରେ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ସେହିପରି ଲିଆଡ଼ ବଡ଼ ବନ୍ଧର ଖନନ ଓ ଉନ୍ନତିକରଣ ପାଇଁ ପ୍ରାୟ ୨୫ ଲକ୍ଷ ଟଙ୍କାର କାର୍ଯ୍ୟ ଏବଂ ଗାଡୁଆଲ ଓ ଗାଧୁଆ ଟୁଥ ବନ୍ଧରେ ସିଏଫସି ପାଣ୍ଠିରୁ ପ୍ରାୟ ୪ ଲକ୍ଷ ଟଙ୍କାର କାମ ଚାଲିଥିବା ଜଣାପଡ଼ିଛି । କିନ୍ତୁ ଏତେ ବଡ଼ ଧରଣର କାର୍ଯ୍ୟ ହେଉଥିବା ସତ୍ତ୍ୱେ କୌଣସି ସ୍ଥାନରେ ସରକାରୀ ନିୟମ ଅନୁଯାୟୀ ସୂଚନା ଫଳକ ଲଗାଯାଇନଥିବା ଅଭିଯୋଗ ହୋଇଛି ।
ନିୟମ ଅନୁଯାୟୀ ପ୍ରକଳ୍ପର ନାମ, ବ୍ୟୟ ଅଟକଳ, କାର୍ଯ୍ୟ ଅବଧି, ଶ୍ରମଦିବସ ସଂଖ୍ୟା ଓ ଦାୟିତ୍ୱପ୍ରାପ୍ତ ଅଧିକାରୀଙ୍କ ବିବରଣୀ ସାର୍ବଜନୀନ ଭାବେ ପ୍ରଦର୍ଶିତ ହେବା ଆବଶ୍ୟକ । ମାତ୍ର ଲିଆଡ଼ରେ ଏହି ବ୍ୟବସ୍ଥାର ଅନୁପସ୍ଥିତି ସ୍ୱଚ୍ଛତା ଓ ଜବାବଦେହିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଅନ୍ୟପକ୍ଷରେ, ଲିଆଡ଼ ବଡ଼ ବନ୍ଧର ଖନନ କାର୍ଯ୍ୟ ସମୟରେ ବାହାରୁଥିବା ମାଟିକୁ ବନ୍ଧର ହୁଡ଼ା ସୁଦୃଢ଼ୀକରଣରେ ବ୍ୟବହାର କରିବା ପରିବର୍ତ୍ତେ ଟ୍ରାକ୍ଟର ଯୋଗେ ପରିବହନ କରାଯାଇ କପରମାଲ-ଡୋଙ୍ଗରମୁଣ୍ଡା ରାସ୍ତା କାମରେ ପକାଯାଉଥିବା ଅଭିଯୋଗ ଗ୍ରାମବାସୀ ଉଠାଇଛନ୍ତି । ଏହା ଫଳରେ ବନ୍ଧ କାର୍ଯ୍ୟର ଗୁଣବତ୍ତା ଓ ରାସ୍ତା କାମର ପ୍ରକୃତ ବ୍ୟୟକୁ ନେଇ ସନ୍ଦେହ ଘନୀଭୂତ ହୋଇଛି ।
ସ୍ଥାନୀୟ ଲୋକଙ୍କ ମତରେ, ମନରେଗାର ମୂଳ ଲକ୍ଷ୍ୟ ହେଉଛି ଗ୍ରାମୀଣ ଶ୍ରମିକଙ୍କୁ ରୋଜଗାର ସୁଯୋଗ ଯୋଗାଇବ । ମାତ୍ର ଏଠାରେ ଶ୍ରମିକଙ୍କ ବଦଳରେ ଟ୍ରାକ୍ଟର ଓ ଯନ୍ତ୍ରପାତିର ବ୍ୟବହାର ହେଉଥିବା ଅଭିଯୋଗ ଉଠିଥିବାରୁ ଯୋଜନାର ଉଦ୍ଦେଶ୍ୟ ହିଁ ପ୍ରଶ୍ନର ସମ୍ମୁଖୀନ ହୋଇଛି । ଯଦି ଏହି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ଏହା ମନରେଗା ନିୟମାବଳୀର ସିଧାସଳଖ ଉଲ୍ଲଂଘନ ବୋଲି ବିବେଚିତ ହେବ ।
ଏହା ସହ କାର୍ଯ୍ୟସ୍ଥଳରେ ଗାଁ ସାଥୀଙ୍କ ସ୍ୱାମୀଙ୍କ ସକ୍ରିୟ ଉପସ୍ଥିତିକୁ ନେଇ ମଧ୍ୟ ବିଭିନ୍ନ ପ୍ରଶ୍ନ ଉଠିଛି । ଗ୍ରାମବାସୀଙ୍କ ଦାବି ଅନୁଯାୟୀ, ସେ ନିୟମିତ ଭାବେ କାର୍ଯ୍ୟସ୍ଥଳରେ ରହି କାମର ତଦାରଖ କରୁଥିବା ଦେଖାଯାଉଛନ୍ତି । ଏ ସମ୍ପର୍କିତ ଫଟୋ ଓ ଭିଡିଓ ଥିବା ଦାବି ମଧ୍ୟ କରାଯାଇଛି । ତେବେ ସେ କେଉଁ ଆଧାରରେ କିମ୍ବା କେଉଁ ଅଧିକାର ବଳରେ କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଉକ୍ତ କାର୍ଯ୍ୟଗୁଡ଼ିକର ତଦାରଖ ଦାୟିତ୍ୱରେ ପିଇଓ କ୍ଷେମ ସାଗର ସାହୁ ଏବଂ ବୈଷୟିକ ଦାୟିତ୍ୱରେ ଜେଇ ସଂଗ୍ରାମ କେଶରୀ ପରିଡା ରହିଛନ୍ତି । ତେଣୁ ଏତେ ବଡ଼ ଧରଣର କାର୍ଯ୍ୟରେ ଉଠୁଥିବା ଅଭିଯୋଗ ଉପରେ ପ୍ରଶାସନ ସ୍ପଷ୍ଟୀକରଣ ଦେବା ଆବଶ୍ୟକ ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି ।
ଗ୍ରାମର ସଚେତନ ନାଗରିକମାନଙ୍କ ମତରେ, ଜନସାଧାରଣଙ୍କ ଟଙ୍କାରେ ଚାଲୁଥିବା ବିକାଶମୂଳକ ଯୋଜନାରେ ସ୍ୱଚ୍ଛତା ଓ ଜବାବଦେହିତା ରହିବା ଅତ୍ୟାବଶ୍ୟକ। ତେଣୁ ଜିଲ୍ଲାପାଳ, ପିଡି-ଡିଆରଡିଏ, ସିନାପାଲି ବିଡିଓ ଏବଂ ମନରେଗା ବିଭାଗର ଉଚ୍ଚ ପଦାଧିକାରୀମାନେ ଘଟଣାର ନିରପେକ୍ଷ ତଦନ୍ତ କରି ପ୍ରକୃତ ସତ୍ୟକୁ ଲୋକଲୋଚନକୁ ଆଣିବା ସହ ଯଦି କୌଣସି ଅନିୟମିତତା ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତ ଦାୟୀ ବ୍ୟକ୍ତି ଓ ଅଧିକାରୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

