--:--:--
-- ---
Srishti News

କୁରୁମପୁରୀରେ ଆଧୁନିକ ଧାନ ଚାଷର ପାଠଶାଳା: ଯାନ୍ତ୍ରିକ ବିହନ ବୁଣା ପ୍ରଣାଳୀ ଉପରେ ପ୍ରଶିକ୍ଷଣ

Nuapada (ନୂଆପଡ଼ା)ରିପୋର୍ଟର: ମଳୟ ମେହେରJune 10, 202681 views
କୁରୁମପୁରୀରେ ଆଧୁନିକ ଧାନ ଚାଷର ପାଠଶାଳା: ଯାନ୍ତ୍ରିକ ବିହନ ବୁଣା ପ୍ରଣାଳୀ ଉପରେ ପ୍ରଶିକ୍ଷଣ
କୋମନା: କୃଷି କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତିର ପ୍ରୟୋଗକୁ ପ୍ରୋତ୍ସାହନ ଦେବା ଏବଂ ଚାଷୀଙ୍କ ଆୟ ବୃଦ୍ଧି ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କୁରୁମପୁରୀ ଗ୍ରାମରେ ବୁଧବାର ଯାନ୍ତ୍ରିକ ପ୍ରତ୍ୟକ୍ଷ ବିହନ ବୁଣା (Mechanized Direct Seeded Rice - mDSR) ସମ୍ବନ୍ଧୀୟ ଏକ ବ୍ୟାପକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଆନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (IRRI), କୃଷି ବିଭାଗ ଓ ଭରସା ଏନଜିଓର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୃଷି କ୍ଷେତ୍ରର ବିଭିନ୍ନ ହିତାଧିକାରୀମାନେ ଯୋଗଦେଇଥିଲେ । ପ୍ରଶିକ୍ଷଣରେ କୃଷି ବିଜ୍ଞାନ କେନ୍ଦ୍ର (KVK)ର ବୈଜ୍ଞାନିକ, ବ୍ଲକ କୃଷି ଅଧିକାରୀ (BAO), ସହକାରୀ କୃଷି ଅଧିକାରୀ (AAO), କୃଷି ଅଧିକାରୀ (AO), ଗ୍ରାମ କୃଷି କର୍ମଚାରୀ (VAW), ଚାଷୀ ଏବଂ ଟ୍ରାକ୍ଟର ଚାଳକମାନଙ୍କୁ ମିଶାଇ ପ୍ରାୟ ୭୦ ଜଣ ଅଂଶଗ୍ରହଣ କରିଥିଲେ । ବିଶେଷଜ୍ଞମାନେ mDSR ପ୍ରଣାଳୀର ଉପକାରିତା ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଆଧୁନିକ ପଦ୍ଧତି ମାଧ୍ୟମରେ ଜଳ ସଞ୍ଚୟ, ଶ୍ରମିକ ଆବଶ୍ୟକତା ହ୍ରାସ ଏବଂ ଉତ୍ପାଦନ ଖର୍ଚ୍ଚ କମାଇ ଧାନ ଚାଷକୁ ଅଧିକ ଲାଭଜନକ କରାଯାଇପାରିବ ବୋଲି ସେମାନେ ମତ ରଖିଥିଲେ । ଏଥିସହ ଚାଷୀ ଓ ଟ୍ରାକ୍ଟର ଚାଳକମାନଙ୍କୁ mDSR ଯନ୍ତ୍ରର ସଠିକ ବ୍ୟବହାର, ବିହନ ବୁଣା କୌଶଳ ଓ ଫସଲ ପରିଚାଳନା ବିଷୟରେ ପ୍ରାୟୋଗିକ ତାଲିମ ଦିଆଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଭାରତ ସରକାରଙ୍କ ବିପର୍ଯ୍ୟୟ ପ୍ରଶମନ ବିଭାଗ, ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, IRRI ଓ ICRISATର ମିଳିତ ସହଯୋଗରେ କୋମନା ବ୍ଲକର ୧୭ଟି ଗ୍ରାମରେ ଏଭଳି କାର୍ଯ୍ୟକ୍ରମ ଚାଲିଛି । ଏହା ମାଧ୍ୟମରେ ମରୁଡ଼ି ଜନିତ କ୍ଷତି ହ୍ରାସ ସହ ଚାଷୀଙ୍କ ଜୀବନ ଓ ଜୀବିକାର ଉନ୍ନତି ସାଧନ କରିବା ଲକ୍ଷ୍ୟ ରହିଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କେବଳ ଆଧୁନିକ କୃଷି ପ୍ରଯୁକ୍ତିର ପ୍ରସାର ନୁହେଁ, ବରଂ ଅଞ୍ଚଳର କୃଷକମାନଙ୍କୁ ଜଳବାୟୁ ପରିବର୍ତ୍ତନ ଓ ମରୁଡ଼ି ପରିସ୍ଥିତିକୁ ସଫଳତାର ସହ ମୁକାବିଲା କରିବା ଦିଗରେ ଏକ ନୂତନ ଦିଗଦର୍ଶନ ପ୍ରଦାନ କରିଛି ।